fbpx

କୁଆଡେ ଗଲେ ଶରତ ନାୟକ? ଘରେ ଝୁଲୁଛି ତାଲା…

ଓଡିଶା ଭାସ୍କର; ମାହାଙ୍ଗାର ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କର ମୃତ୍ୟୁ ପରେ କେଉଁଆଡେ ଚାଲିଯାଇଛନ୍ତି ମାହାଙ୍ଗା ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ । ଘର ଭିତର ପଟୁ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ବଢିଥିବା ବେଳେ ଏହି ସମୟରେ ଶରତଙ୍କ ଆଉ ଖୋଜ ଖବର ନାହିଁ ।

ସେପଟେ ଏହାରି ଭିତରେ ଶରତ ନାୟକଙ୍କୁ ଦଳରୁ ନିଲମ୍ବିତ କରିଛି ବିଜୁ ଜନତା ଦଳ । ଶରତଙ୍କୁ ଆଜି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । କଟକ ଜିଲ୍ଲା ବିଜେଡି ସଭାପତି ଶରତଙ୍କୁ ନିଲମ୍ବନ କରି ଏକ ବିଜ୍ଞପ୍ତି ଜାରି କରିଛନ୍ତି । ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଥିଲେ ଶରତ ନାୟକ । ମାହାଙ୍ଗାର ମୃତ ମାଟ୍ରିକ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମାମଲାରେ ଶରତଙ୍କର ଏକ ଅଡିଓ ରେକର୍ଡ଼ିଂ ଭାଇରାଲ ହୋଇଥିଲା । ସମ୍ପୃକ୍ତ ଘଟଣାରେ ବିଜେଡି ନେତା ଶରତ ନାୟକଙ୍କ ଲିଙ୍କ ଥିବା ଚର୍ଚ୍ଚା ହେଉଛି । ଆଇଆଇସିଙ୍କୁ କହି ମାମଲାକୁ ରଫାଦଫା କରିଦେବା ପାଇଁ ୭୦ହଜାର ଟଙ୍କା ମାଗୁଥିଲେ ଶରତ । ଏହି ଭାଇରାଲ ରେକର୍ଡ଼ିଂରେ ମୃତ ଛାତ୍ରୀଙ୍କ ମା’ଙ୍କୁ ଟଙ୍କା ମାଗୁଥିବା ଜଣାପଡିଥିଲା । ଏହା ସହ ଛାତ୍ରୀଙ୍କ ମୃତ୍ୟୁ ପରେ ଶବ ସତ୍କାର କରି ନଦୀରେ ସବୁ ପ୍ରମାଣ ଭସେଇ ଦେଇଥିବା କଥା ମଧ୍ୟ ସେ କହିଛନ୍ତି । ତେବେ କେଉଁ ପ୍ରମାଣ ଓ କାହିଁକି ସେ ପ୍ରମାଣ ନଷ୍ଟ କରିଥିଲେ ଏନେଇ ତାଙ୍କୁ ପଚାରଉଚରା କରିପାରେ ପୋଲିସ । ତେବେ ଶରତ ତଦନ୍ତ ପରିସରକୁ ଖୁବଶୀଘ୍ର ଆସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ ମୃତ ମାଟ୍ରିକ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ସହ ପ୍ରେମ ସଂପର୍କକୁ ସ୍ୱୀକାର କରିଛନ୍ତି ଖେଳ ଶିକ୍ଷକ ଅନୁପମ ରାୟ । ଅନେକ ସମୟରେ ଛାତ୍ରୀଙ୍କୁ ତାଙ୍କ ବାପା ମାଡ ମାରୁଥିଲେ ବୋଲି ବୟାନ ଦେଇଛନ୍ତି । ସ୍ୱର୍ଣ୍ଣଲତାଙ୍କ ସହ ସମ୍ପର୍କ ଥିଲା, କିନ୍ତୁ ଉପଯୁକ୍ତ ସମୟକୁ ଅପେକ୍ଷା କରିଥିଲେ । ବାପା ବାରମ୍ବାର ମାଡ ମାରୁଥିବା ସ୍ୱର୍ଣ୍ଣଲତା ତାଙ୍କ ଆଗରେ କହୁଥିଲେ । ଆଉ ଏହି ସମୟରେ ସମବେଦନା ଆସିବାରୁ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହା ସହ ସେ କହିଛନ୍ତି, ସ୍ଵର୍ଣ୍ଣଲତାଙ୍କ ମୃତ୍ୟୁ ପରେ ଫୋନ୍ କରି ଶରତ ନାୟକ ତାଙ୍କୁ ଧମକ ଦେଉଥିଲେ । ଶରତ ଫୋନ୍ କରି ତାଙ୍କୁ ପୋଲିସ ଭୟ ଦେଖାଇ ଟଙ୍କା ମାଗୁଥିଲେ । ଛାତ୍ରୀଙ୍କର ମୃତ୍ୟୁ ମାମଲାରେ ତଦନ୍ତ କରି ସ୍ଵର୍ଣ୍ଣଲତାକୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ଖେଳ ଶିକ୍ଷକ ଅନୁପମ ରାୟ ।

ସୂଚନା ଥାଉକି, ଉକ୍ତ ଭାଇରାଲ ଅଡିଓକୁ ନେଇ ଗତକାଲି କଟକ ଜିଲ୍ଲା ଏସପି ମିହିର ପଣ୍ଡା ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଜଗତସିଂହପୁର ଛେଳିଆଗଡ ଗାଁରେ ତଦନ୍ତକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତକାରୀ ଟିମ୍ ସ୍ୱର୍ଣ୍ଣଲତାଙ୍କ ପ୍ରେମିକ ତଥା ଖେଳ ସାରଙ୍କ ଘରେ ପହଞ୍ଚି ପଚରାଉଚରା କରିଛନ୍ତି । ଅନ୍ୟପଟେ ନିଜ ଆଡୁ ମାମଲା ଦାୟର କରି ଏସପିଙ୍କୁ ଜବାବ ମାଗିଛନ୍ତି ରାଜ୍ୟ ମହିଳା କମିଶନ । ୧୫ ଦିନ ଭିତରେ ଜବାବ ଦେବାକୁ ଏସପିଙ୍କୁ କୁହାଯାଇଛି । ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାରେ କଣ ପଦକ୍ଷେପ ନିଆଯାଇଛି ସେ ନେଇ ଉତ୍ତର ରଖିବାକୁ କହିଛନ୍ତି ରାଜ୍ୟ ମହିଳା କମିଶନ । ଅନ୍ୟପଟେ ମାମଲାର କ୍ରାଇମବ୍ରାଂଚ ତଦନ୍ତ ଦାବି କରିଛି ଚାଇଲ୍ଡ ଲାଇନ ।

ଶରତଙ୍କ ଭାଇରାଲ ଅଡିଓ ବୟାନ କରୁଛି ଶରତ ନାୟକ ପୁଲିସ ସହଯୋଗରେ ସବୁ ପ୍ରମାଣକୁ ନଦୀରେ ଭସାଇ ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଶରତଙ୍କୁ ଧରି ପୋଲିସ ଉପଯୁକ୍ତ ତଦନ୍ତ କରି ପାରିବ ତ?

 

 

 

 

Get real time updates directly on you device, subscribe now.