fbpx

ଭାରତୀୟ ଯବାନ ସହ ଯୁଦ୍ଧ କରୁଛନ୍ତି ଦେବୀ ମା’: ସେନାକୁ ଦିଅନ୍ତି ଅପାର ଶକ୍ତି

ଭାରତରେ ଦେବାଦେବୀଙ୍କୁ ଖୁବ ବିଶ୍ୱାସ କରାଯାଏ । ଭଗବାନଙ୍କ ଉପାସନା କରି ପ୍ରତ୍ୟେକ ଭାରତୀୟ ନିଜ କାମରେ ବାହାରକୁ ଯାଇଥାନ୍ତି । ସେହିପରି ଭାରତୀୟ ଯବାନ ମାନଙ୍କ ପାଇଁ ମଧ୍ୟ ଦେବୀ ମା’ ସବୁବେଳେ କୃପା ବର୍ଷା କରିଥାନ୍ତି । ଭାରତ ଉପରେ ଯେତେ ବି ବଡ଼ ବିପଦ ଆସୁନା କାହିଁକି ଏହି ଦେବୀ ମାତା ସବୁକିଛି ପଣ୍ଡ କରି ଦେଇଥାନ୍ତି । ଭାରତୀୟ ଯବାନମାନଙ୍କ ପାଇଁ ସେ ସବୁବେଳେ ଢାଲ ହୋଇ ଛିଡା ହୋଇଥାଆନ୍ତି । ଆଉ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି ଏ ମନ୍ଦିରରେ ଯବାନମାନେ ହିଁ ପୂଜା କରିଥାଆନ୍ତି । ଏମିତି ଏକ ମନ୍ଦିର ରାଜସ୍ଥାନର ଜୈସଲମେରଠାରୁ ପ୍ରାୟ ୧୨୨ କିଲୋମିଟର ଦୂର ତନୋଟଠାରେ ଅବସ୍ଥିତ । ଏହି ଦେବୀ ମନ୍ଦିର ରହିଛି ଯାହା ସୀମାରେ ଥିବା ଯବାନଙ୍କର ଜୀବନ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି ।

କୁହାଯାଏ କି ଏହି ମନ୍ଦିରରେ ଏମିତି ଶକ୍ତି ଅଛି ଯାହା ଦେଶର ବୀର ଯବାନଙ୍କୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏହି ମନ୍ଦିର ଭାରତ ପାକିସ୍ତାନ ସୀମା ଠାରୁ ମାତ୍ର ୨୦ କିମି ଦୂରରେ ଅବସ୍ଥିତ । ଏ କାହାଣୀ ୧୯୬୫ ମସିହାର ଯେତେବେଳେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ପାକିସ୍ତାନ ପାଖରେ ଅନେକ ମାତ୍ରା ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ଥିବା ବେଳେ ଭାରତ ପାଖରେ ଏତେ ଅସ୍ତ୍ର ଶସ୍ତ୍ର ନଥିଲା । ଭାରତ ଆର୍ଥିକ, ଭୌଗୋଳିକ ତଥା ଅନ୍ୟାନ୍ୟ ସମସ୍ୟାରେ ଫସି ରହିଥିବା ବେଳେ ଭାରତ ବିରୋଧରେ ଯୁଦ୍ଧ ଆରମ୍ଭ କରି ଜାମ୍ମୁ-କାଶ୍ମୀରକୁ ନିଜ କବଜାକୁ ନେବାକୁ ପାକିସ୍ତାନ ହୀନ ଚକ୍ରାନ୍ତ କରିଥିଲା । ଏହି ଯୁଦ୍ଧ ଭାରତକୁ ତାର ନିଜ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ସହ ନିଜ ଭୌଗୋଳିକ ଅଖଣ୍ଡତାକୁ ବଜାୟ ରଖିବାକୁ ଆହ୍ୱାନ ଥିଲା । ଆଉ ଠିକ ଏହି ସମୟରେ ଭାରତ ପାକିସ୍ତାନକୁ ଦେଇଥିଲା ମୁହଁ ତୋଡ ଯବାବ । ଭାରତୀୟ ଯବାନଙ୍କ ଅଦମ୍ୟ ସାହସ ଓ ଦେଶବାସୀଙ୍କ ସମର୍ଥନ ଆଣି ଦେଇଥିଲା ଭାରତକୁ ବିଜୟ । ପାକିସ୍ତାନ ସେନାକୁ ଧରାଶାୟୀ କରି ସେମାନଙ୍କ ଛାତି ଉପରେ ଉଡାଇଥିଲା ବିଜୟର ବାନା । ଆଉ ଏହି ବିଜୟର ବାନା ଉଡାଇବା ପଛରେ ଯାହାର ସବୁଠାରୁ ବଡ଼ ହାତ ଥିଲା ସେ ହେଉଛନ୍ତି ତନୋଟ ମାତା ଦେବୀ ।

୧୯୬୫ରେ ପାକିସ୍ତାନ ସେନା ଏହି ଅଞ୍ଚଳରେ ପାଖାପାଖି ୩ ହଜାର ବୋମାମାଡ କରିଥିଲେ । ଫଳରେ ଏହି ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିଲା । କିନ୍ତୁ ମନ୍ଦିରର ସାମାନ୍ୟ କ୍ଷତି ହୋଇ ନ ଥିଲା । ଆହୁରି ମଧ୍ୟ ଶୁଣିବାକୁ ମିଳେ ମନ୍ଦିର ପରିସରରେ ଯେତେ ବୋମା ପଡିଥିଲା ସବୁ ଗୁଡିକ ନିଷ୍କ୍ରିୟ ହୋଇ ଯାଇଥିଲା । ସେହିଭଳି ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହି ମନ୍ଦିର ନିକଟରେ ସାଢେ ୪ଶହରୁ ଅଧିକ ବୋମା ପଡିଥିଲେ ମଧ୍ୟ ସବୁ ଅକାମି ହୋଇ ଯାଇଥିଲା ତାହା ଫାଟି ନଥିଲା । ସେହି ବମ ଗୁଡିକୁ ଆଜିବି ମନ୍ଦିରର ସଂଗ୍ରହାଳୟରେ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଦେଖିବା ପାଇଁ ରଖାଯାଇଛି ।

ଏହି ମନ୍ଦିର ପରିସରରେ ଭାରତୀୟ ସେନାଙ୍କର ଏକ ବିଜୟ ସ୍ତମ୍ଭ ନିର୍ମାଣ କରାଯାଇଛି ଯେଉଁଠି ପ୍ରତିବର୍ଷ ଶହୀଦ ଯବାନଙ୍କ ସ୍ମୃତିରେ ଉତ୍ସବ ପାଳନ କରାଯାଇଥାଏ । କେବଳ ଏତିକି ନୁହେଁ ଏଠାରେ ପଡିଥିବା ସମସ୍ତ ବୋମାକୁ ମନ୍ଦିର ପରିସରରେ ଥିବା ମ୍ୟୁଜିୟମରେ ରଖାଯାଇଛି । ଏହି ମନ୍ଦିରର ସମସ୍ତ ଦାୟିତ୍ୱ ସୁରକ୍ଷାକର୍ମୀଙ୍କୁ ଦିଆଯାଇଛି । ମନ୍ଦିରରେ ହିଙ୍ଗଲାଜ ମାତାଙ୍କୁ ପୂଜା କରାଯାଇଥାଏ ଯିଏ ଆୱଡ ମାତା ନାମରେ ମଧ୍ୟ ପରିଚିତ । ଏହା ପାକିସ୍ତାନ ସୀମାରେ ଥିବା ବେଳେ ଦେବୀ ମା’ଙ୍କ ଆଉ ଏକ ମନ୍ଦିର ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ରହିଛି । ମନ୍ଦିରର ଶିଳାଲେଖରେ ଏହି ସମସ୍ତ କାହାଣୀ ଲେଖାଯାଇଛି ।

Get real time updates directly on you device, subscribe now.