ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଅନେକ ଅତୁଟ ରେକର୍ଡ ନିଜ ନାମରେ କରିଯାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ତେବେ ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳମାନେ ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟ ଦେଶର ନିର୍ବାଚନ ଆୟୋଗ (ଇସି) ସଚିନଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ।
ସୂଚନା ମୁତାବକ, ନିର୍ବାଚନ କମିଶନ ସଚିନଙ୍କୁ ‘ରାଷ୍ଟ୍ରୀୟ ଆଇକନ’ ଭାବେ ନିଯୁକ୍ତି ଦେଇଛନ୍ତି । ସାରା ଦେଶରେ ସଚିନଙ୍କର ଲକ୍ଷ ଲକ୍ଷ ଫଲୋର୍ସ ରହିଥିବା ବେଳେ ନିର୍ବାଚନ ଆୟୋଗଙ୍କ ଏହି ଘୋଷଣା ଭୋଟରଙ୍କ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ । ସଚିନ ଏହି ଦାୟିତ୍ୱ ସମ୍ଭାଳିବା ଫଳରେ ନିର୍ବାଚନରେ ଭୋଟ ହାର ବଢ଼ିବାର ସମ୍ଭାବନା ରହିଛି । ସଚିନ ତିନିବର୍ଷ ପାଇଁ ଏହି ଦାୟିତ୍ୱରେ ରହିବାକୁ ଥିବାବେଳେ ଏହି ପରିପ୍ରେକ୍ଷୀରେ ସେ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ ।
ବିଶେଷ କରି ୨୦୨୪ ଲୋକସଭା ନିର୍ବାଚନ ଯୁବ ଭୋଟରଙ୍କ ମଧ୍ୟରେ ସଚିନ ପ୍ରଭାବ ପକାଇବାରେ ସକ୍ଷମ ହୋଇପାରିବେ । ଗତ ବର୍ଷ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିର୍ବାଚନ ଆୟୋଗ ଜାତୀୟ ଆଇକନ ଭାବେ ଘୋଷଣା କରିଥିଲେ । ସେହିପରି ୨୦୧୯ ଲୋକସଭା ନିର୍ବାଚନ ଅବସରରେ ମହେନ୍ଦ୍ର ସିଂହ ଧୋନୀ, ଆମିର ଖାନ ଓ ମେରି କମଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇଥିଲା । ସଚିନଙ୍କୁ ଏହି ଦାୟିତ୍ୱ ମିଳିବା ତାଙ୍କର ସମସ୍ତ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଏକ ଖୁସି ଖବର ।