fbpx

ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବାକୁ ଜୋହାନ୍ସବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ବିମାନବନ୍ଦରରେ ହେଲା ଜୋରଦାର ସ୍ୱାଗତ

ଜୋହାନ୍ସବର୍ଗ: ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନବନ୍ଦରରେ ରେଡ କାର୍ପେଟରେ ସ୍ୱାଗତ କରାଯାଇଥିଲା । ମୋଦିଙ୍କୁ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ପାରମ୍ପାରିକ ଆଦିବାସୀ ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ଭେଟିଥିଲେ । ଏହି ସମୟରେ ମୋଦୀ ଲୋକଙ୍କୁ ଅଭିବାଦନ ଜଣାଇବା ସହ ହାତ ମିଳାଇଥିଲେ ।

ଭାରତ ବ୍ୟତୀତ ବ୍ରିକ୍ସ ସମୁହରେ ଚୀନ୍‌, ଋଷ, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ ମଧ୍ୟ ସାମିଲ ଅଛନ୍ତି । ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଜୋହାନ୍ସବର୍ଗରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ୨୪ ଅଗଷ୍ଟ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ ରହିବେ । ଏହି ସମୟ ମଧ୍ୟରେ ସେ କିଛି ସଦସ୍ୟ ଦେଶ ସହିତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ ।

ଦୁଇ ପଡ଼ୋଶୀ ଦେଶର ମୁଖିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରିକ୍ସ ବୈଠକରେ ଯୋଗ ଦେଉଛନ୍ତି । ତଥାପି, ଉଭୟ ଦେଶରେ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ବୈଠକ ବ୍ୟତୀତ ଦୁଇ ନେତାଙ୍କ ଦ୍ୱିପାଖିକ ବୈଠକ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସି ଜିନପିଙ୍ଗଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ହେଉଛି ।

ଦକ୍ଷିଣ ଆଫ୍ରିକା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗ୍ରୀକ୍ ପ୍ରତିପକ୍ଷ କିରିଆକୋସ୍ ମିତସୋଟାକିସ୍‌ଙ୍କ ନିମନ୍ତ୍ରଣରେ ଅଗଷ୍ଟ ୨୫ ରେ ଏଥେନ୍ସ ଗସ୍ତ କରିବେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ଗତ ୪୦ ବର୍ଷ ମଧ୍ୟରେ ଗ୍ରୀସ ଗସ୍ତରେ ଆସିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବାର ଗୌରବ ପାଇବି ।

Get real time updates directly on you device, subscribe now.