fbpx

ଚନ୍ଦ୍ରପୃଷ୍ଠରେ ଚାଲି ଚାଲି ଫଟୋ ଉଠାଇବା ଆରମ୍ଭ କରିଦେଲାଣି ପ୍ରଜ୍ଞାନ; ପାଣି, ଖଣିଜ ପଦାର୍ଥ, ଭୂକମ୍ପ, ତାପମାତ୍ରା ଓ ମାଟି ବିଷୟରେ ଅଧ୍ୟୟନ କରି ପଠାଇବ ତଥ୍ୟ

ନୂଆଦିଲ୍ଲୀ: ଆମେ ଜହ୍ନରେ ପହଞ୍ଚି ଯାଇଛୁ । ଏବେ ଭାରତ ହିଁ ସାରା ବିଶ୍ୱକୁ କହିବ ଚନ୍ଦ୍ରମାର ଦକ୍ଷିଣ ମେରୁରେ କଣ ରହିଛି । ଏହା ସହିତ ସୌର ପରିବାର ବିଷୟରେ ବହୁ ରହସ୍ୟର ଉଦଘାଟନ ଏବେ କରିବ ଭାରତ । ୪୦ ଦିନ ତଳେ ୧୪ ଜୁଲାଇରେ ଚନ୍ଦ୍ରଯାନ ୩, ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ସାଥିରେ ଧରି ଚନ୍ଦ୍ରମା ଆଡକୁ ଗତି କରିଥିଲା । ୪୧ ଦିନ ପରେ ଚନ୍ଦ୍ରଯାନ ୩ ସେଠାରେ ପହଞ୍ଚି ମେସେଜ୍ ପଠାଇ ସାରିଛି । ଏବେ ପ୍ରଜ୍ଞାନ ରୋଭର ସେଠାରେ ନିଜର କାମ ଆରମ୍ଭ କରିଦେଇଛି । ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଫଟୋ ନେବା ଆରମ୍ଭ କରିଦେଇଛି । ଦେଶକୁ ପ୍ରଜ୍ଞାନ ଏହାର ପ୍ରଥମ ଫଟୋ ପଠାଇ ସାରିଛି । ଗୁରୁବାର ସକାଳେ ଇସ୍ରୋ ଏହି ଶୁଭ ଖବର ଦେଇସାରିଛି । ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ପ୍ରଜ୍ଞାନ ଜରିଆରେ ଚନ୍ଦ୍ର ବିଷୟରେ ବହୁ ତଥ୍ୟ ସାମନାକୁ ଆସିବ ।
ପ୍ରଥମ ଛବିରେ ଦେଖିବାକୁ ମିଳିଛି ଚନ୍ଦ୍ରଯାନ ୩ ଯେଉଁ ଯାଗାରେ ଲ୍ୟାଣ୍ଡିଂ କରିଛି ସେହି ଯାଗା ସମତଳ ରହିଛି । ଇସ୍ରୋ କହିଛି ଲ୍ୟାଣ୍ଡର ଓ ଏଠାରେ ଅନ୍ତରୀକ୍ଷ ଏଜେନ୍ସୀର ମିଶନ ଅପରେସନ କମ୍ପେ୍ଲକ୍ସ (ଏମଓଏକ୍ସ) ମଧ୍ୟରେ ଏକ ଯୋଗାଯୋଗ ସ୍ଥାପନ କରାଯାଇଛି । ସୁରକ୍ଷିତ ଟଚଡାଉନ୍ ସୁନିଶ୍ଚିତ କରିବା ଲାଗି ଲ୍ୟାଣ୍ଡରରେ ବହୁ ସେନ୍ସର ଖଞ୍ଜାଯାଇଛି । ଏବେ ଦେଶକୁ ସେହି ମୁହୂର୍ତ୍ତର ଅପେକ୍ଷା ରହିଛି ଯେବେ ପ୍ରଜ୍ଞାନ ରୋଭର ଚନ୍ଦ୍ର ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବ ।
ପ୍ରଜ୍ଞାନ ହେଉଛି ୬ ଚକ ବିଶିଷ୍ଟ ଏକ ରୋବଟିକ ଭେଇକିଲ୍ ଯାହା ଚନ୍ଦ୍ରପୃଷ୍ଠରେ ଚାଲି ଚାଲି ଫଟୋ ଉଠାଇବ । ବୈଜ୍ଞାନିକମାନେ ରୋଭର ମାଧ୍ୟମରେ ଚନ୍ଦ୍ରମାରୁ ଆସୁଥିବା ଡାଟାକୁ ଦେଖି ଏହାର ବିଶ୍ଲେଷଣ କରିବେ । ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ପ୍ରତି ସେକେଣ୍ଡରେ ଏକ ସେଣ୍ଟିମିଟର ବେଗରେ ଆଗକୁ ବଢିବ ଓ କ୍ୟାମେରା ସହାୟତାରେ ଚନ୍ଦ୍ରରେ ଥିବା ବିଭିନ୍ନ ଜିନିଷର ସ୍କାନିଂ କରି ତଥ୍ୟ ପଠାଇବ । ଏହା ସହିତ ପ୍ରଜ୍ଞାନ ମୌସୁମୀ ବିଷୟରେ ବି ତଥ୍ୟ ପ୍ରଦାନ କରିବ । ପ୍ରଜ୍ଞାନ ଚନ୍ଦ୍ରରେ ମହଜୁନ ଆୟନ ଓ ଇଲେକ୍ଟ୍ରୋନ ବିଷୟରେ ବି ସୂଚନା ଦେବ ।

ଚନ୍ଦ୍ରଯାନ ୩ ଚନ୍ଦ୍ର ପୃଷ୍ଠରେ ପୃଥିବୀର ସମୟ ଅନୁଯାୟୀ ୧୪ ଦିନ ପର୍ଯ୍ୟନ୍ତ ରହି କାମ କରିବ । ପୃଥିବୀରେ ୧୪ ଦିନ ଚନ୍ଦ୍ରରେ ଗୋଟିଏ ଲୁନାର ଡେ’ ସହିତ ସମାନ । ଏହାର ଅର୍ଥ ପ୍ରଜ୍ଞାନ ସେଠାରେ ଏକ ଲୁନାର ଡେ ପର୍ଯ୍ୟନ୍ତ ସକ୍ରିୟ ରହିବ । ବୈଜ୍ଞାନିକଙ୍କ ମତ ପ୍ରଜ୍ଞାନ ଓ ବିକ୍ରମ ଏକ ଅତିରିକ୍ତ ଲୁନାର ଡେ’ ପର୍ଯ୍ୟନ୍ତ କାମ କରିପାରିବେ । ସେଠାରେ ତାଙ୍କୁ ସୂର୍ଯ୍ୟଙ୍କ ଠାରୁ ସହାୟତା ମିଳିବ ଓ ସୂର୍ଯ୍ୟଙ୍କ କିରଣ ଜରିଆରେ ଏହା ନିଜକୁ ଚାର୍ଜ କରିପାରିବେ । ଲ୍ୟାଣ୍ଡର ଓ ରୋଭର ସୋଲାର ପାୱାରରେ କାମ କରିବ । ରୋଭର ପ୍ରଜ୍ଞାନ ସେଠାରେ ପାଣିର ସନ୍ଧାନ କରିବା ସହିତ ଖଣିଜ ପଦାର୍ଥ ବିଷୟରେ ସୂଚନା, ଭୂକମ୍ପ, ତାପମାତ୍ରା ଓ ମାଟି ବିଷୟରେ ଅଧ୍ୟୟନ କରିବ ।

ଯେତେବେଳେ ରୋଭର ପ୍ରଜ୍ଞାନ ତଥ୍ୟ ଏକତ୍ରୀତ କରିବା ଲାଗି ଆଗକୁ ବଢିବ ସେତେବେଳେ ଏହା ଅଶୋକ ସ୍ତମ୍ଭ ଓ ଇସ୍ରୋର ଲୋଗୋ ଛାଡି ଯିବ । ତେବେ ୧୪ ଦିନ ମଧ୍ୟରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ କେତେ ଦୂର ଗତି କରିବ ସେ ବିଷୟରେ ଏବେ ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.