ବିଶ୍ୱ ପାଇଁ ସାଉଥ୍ ପୋଲ କାହିଁକି ଗୁରୁତ୍ୱପୂର୍ଣ୍ଣ: ପ୍ରତ୍ୟେକ ରାଷ୍ଟ୍ର ଏହାକୁ ବାଛିବା ପଛର ରହସ୍ୟ କ’ଣ, ସ୍ପଷ୍ଟ କଲା ISRO

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଇତିହାସ ରଚିଛି । ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ବିକ୍ରମ ଲ୍ୟାଣ୍ଡର ରୋଭର ସହିତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ସହ ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିଛି । ନିକଟରେ ଋଷର ମହାକାଶ ଯାନ ଲୁନା-୨୫ ବିଫଳ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ଏହା ଭାରତ ପାଇଁ ଏକ ଚ୍ୟାଲେଞ୍ଜିଂପୂର୍ଣ୍ଣ ଥିଲା ।

ତେବେ ଏଠାରେ ପ୍ରଶ୍ନଉଠେ, ଭାରତ ବ୍ୟତୀତ ଅନ୍ୟ ରାଷ୍ଟ୍ରମାନେ କାହିଁକି ଅବତରଣ ନିମନ୍ତେ ସାଉଥ୍ ପୋଲ ବା ଦକ୍ଷିଣ ମେରୁକୁ ବାଛୁଛନ୍ତି? ଏହା କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମକୁ ଜାଣିବା ନିହାତି ଜରୁରୀ । ଏ ବାବଦରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟ ଏସ. ସୋମନାଥ ସୂଚନା ଦେଇଛନ୍ତି । ଗତ ୨୦୧୯ ମସିହା ସେପ୍ଟେମ୍ବର ୨ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ମିଶନ ବିଫଳ ହୋଇଥିଲା । ଚନ୍ଦ୍ରଯାନ-୨ ହାର୍ଡ ଲ୍ୟାଣ୍ଡିଂ କରିଥିବାରୁ ସେଥିରୁ କିଛି ବି ରିକଭରୀ ହୋଇପାରିନଥିଲା ।

ତେଣୁ ଚନ୍ଦ୍ରଯାନ-୩ ପାଇଁ ସବୁକିଛି ନୂଆ ଭାବେ ପ୍ରସ୍ତୁତ କରାଯାଇଥିଲା । ଚନ୍ଦ୍ରଯାନ-୨ରେ କ’ଣ ତ୍ରୁଟି ରହିଥିଲା ତାହା ଜାଣିବା ପାଇଁ ଏକ ବର୍ଷ ବିତିଯାଇଥିଲା । ଏହାପରେ ପରବର୍ତ୍ତୀ ବର୍ଷ ସଂଶୋଧନ କରାଯାଇଥିଲା ଓ ଦୁଇବର୍ଷ କେବଳ ପରୀକ୍ଷା କରାଯାଇଥିଲା । ଦକ୍ଷିଣ ମେରୁରେ ଜଳ, ଖଣିଜ ପଦାର୍ଥର ଉପସ୍ଥିତି ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ପ୍ରୟାସ କରିବେ । ଯଦି ଚନ୍ଦ୍ରରେ ପର୍ଯ୍ୟାପ୍ତ ମାତ୍ରାରେ ଜଳ-ବରଫ ଥିବାର ଜଣାପଡ଼େ, ତେବେ ଚନ୍ଦ୍ରକୁ ଅନୁସନ୍ଧାନ ପାଇଁ ଯାଉଥିବା ମହାକାଶଚାରୀଙ୍କ ପାଇଁ ତାହା ପାନୀୟ ଉତ୍ସ ହୋଇପାରିବ ଓ ବିଭିନ୍ନ ଯନ୍ତ୍ରକୁ ଜଳ ସାହାଯ୍ୟରେ ଶୀତଳ କରାଯାଇ ପାରିବ ।

ଜଳକୁ ଭାଙ୍ଗି ଉଦଯାନ ଓ ଅମ୍ଲଜାନ ବାହାର କରାଯାଇ ପାରିବ । ଉଦଜାନକୁ ଇନ୍ଧନ ପାଇଁ ଓ ଅମ୍ଲଜାନକୁ ନିଃଶ୍ୱାସ ପ୍ରଶ୍ୱାସ ପାଇଁ ବ୍ୟବହାର କରାଯାଇ ପାରିବ । ଚନ୍ଦ୍ରରେ ଖନନ କିମ୍ବ ମଙ୍ଗଳ ଅଭିଯାନକୁ ଏହା ସାହାଯ୍ୟ କରିପାରେ । ଚନ୍ଦ୍ରରେ ପ୍ରାଚୀନ ଜଳ-ବରଫ ଭଣ୍ଡାର ସନ୍ଧାନ ମିଳିଲେ ଧୂମକେତୁ ଓ ଗ୍ରହାଣୁ ମାଧ୍ୟମରେ ପୃଥିବୀକୁ ଆସିଥିବା ପଦାର୍ଥ ଓ ମହାସାଗରର ସୃଷ୍ଟି ବିଷୟରେ ବୈଜ୍ଞାନିକମାନେ ଅନେକ ତଥ୍ୟ ପାଇ ପାରିବେ । ୧୯୬୭ ମସିହାର ମିଳିତ ଜାତିସଂଘର ବାହ୍ୟ ମହାକାଶ ଚୁକ୍ତି ଅନୁସାରେ, କୌଣସି ରାଷ୍ଟ୍ର ଚନ୍ଦ୍ରରେ ମାଲିକାନା ଦାବି କରିପାରିବେ ନାହିଁ । ମାତ୍ର ବାଣିଜ୍ୟିକ କାର୍ଯ୍ୟକଳାପ କରିପାରିବେ ।