fbpx

୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା: ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା’ ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି । ଅଭିନେତା ଭିକ୍କି କୌଶଲଙ୍କ ଫିଲ୍ମ ‘ସର୍ଦ୍ଦାର ଉଧମ ସିଂହ’କୁ ଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଅବସରରେ ସାରା ଦେଶର ବହୁ ଆଞ୍ଚଳିକ ଫିଲ୍ମ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଫିଲ୍ମ ନିର୍ମାତା, ଟେକ୍ନିସିଆନଙ୍କୁ ପୁରସ୍କୃତ କରାଯାଇଛି । ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ସମସ୍ତ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, କଳାକାରଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

ତେବେ ୬୯ତମ ଜାତୀୟ ଫିଲ୍ମ ପୁରସ୍କାରରେ ଚମକିଛି ଓଡ଼ିଆ ଫିଲ୍ମ ‘ପ୍ରତୀକ୍ଷା । ‘ପ୍ରତୀକ୍ଷା’ ଚଳଚ୍ଚିତ୍ରକୁ ମିଳିଛି ଶ୍ରେଷ୍ଠ ଫିଲ୍ମ ପୁରସ୍କାର । ‘ପ୍ରତୀକ୍ଷା’ ଲୋକଙ୍କର ହୃଦୟ ଜିତିବା ସହିତ ସିନେମା ଘରେ ତା’ର ଜଲୱା ଦେଖାଇଥିଲା । ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ ହୋଇଥିଲା । ଭୁବନେଶ୍ୱରରେ ରହୁଥିବା ଏକ ସାଧାରଣ ମଧ୍ୟବିତ ପରିବାରର ସ୍ୱପ୍ନ, ଆକାଂକ୍ଷା ଓ ନିରାଶକୁ ଫିଲ୍ମରେ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଥିଲା ।

ଏହି ଫିଲ୍ମର କାହାଣୀ ଏତେ ମନଛୁଆଁ ହୋଇଥିଲା ଯେ ଦର୍ଶକଙ୍କ ଆଖି ଲୁହ ଦେଖବାକୁ ମିଳିଥିଲା । ଦୀର୍ଘଦିନ ଧରି ଓଡ଼ିଆ ଫିଲ୍ମକୁ ହଲ ମିଳୁନଥିବା ବେଳେ ‘ପ୍ରତୀକ୍ଷା’ ମାଧ୍ୟମରେ ଦର୍ଶକମାନେ ଓଡ଼ିଆ ଫିଲ୍ମକୁ ପୁଣି ଥରେ ଭଲପାଇବା ଦେଇଥିଲେ । ଚଳଚ୍ଚ୍ରିତରେ ଜଣେ ବାପା ଓ ପୁଅର ଜଟିଳ ସମ୍ପର୍କକୁ ଅତି ସରଳ ଭାବେ ଦର୍ଶକଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା । ଫିଲ୍ମରେ ଦୀପନ୍ୱିତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଗୋଟିଏ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରରେ ପୁରସ୍କାରପ୍ରାପ୍ତ ହେବା ନିଶ୍ଚିତ ଭାବେ ସମଗ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଗୌରବର ମୁହୂର୍ତ୍ତ ।

Get real time updates directly on you device, subscribe now.