fbpx

ଚନ୍ଦ୍ରରେ ବି ଗଦା ଗଦା ଅଳିଆ, ବିଭିନ୍ନ ମିଶନ ଜରିଆରେ ଯାଇଥିବା ବୈଜ୍ଞାନିକଙ୍କ ବ୍ୟକ୍ତିଗତ ସାମଗ୍ରୀ ସହିତ ପଡି ରହିଛି ଏହିସବୁ ଆବର୍ଜନା

ନୂଆଦିଲ୍ଲୀ: ଚନ୍ଦ୍ରକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ବହୁ ଦିନରୁ ଉତ୍ସାହ ଭରି ରହିଛି । ଏହି ଉତ୍ସାହର ପରିଣାମ ସ୍ୱରୂପ ଚନ୍ଦ୍ର ଉପରେ ନିରନ୍ତର ଗବେଷଣା ଜାରି ରହିଛି । କିନ୍ତୁ ଆପଣ ଜାଣନ୍ତି କି ଚନ୍ଦ୍ରକୁ ପଠାଯାଇଥିବା ବିଭିନ୍ନ ମିଶନ କାରଣରୁ ଏଠାରେ କେତେ ଅଳିଆ ଜମା ହୋଇସାରିଲାଣି । ବିଭିନ୍ନ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠକୁ ଏ ପର୍ଯ୍ୟନ୍ତ ୧୨ ଜଣ ବୈଜ୍ଞାନିକ ଯାତ୍ରା କରିସାରିଲେଣି ।

ବିଭିନ୍ନ ମିଶନରେ ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରୁ ନେଇଯାଉଥିବା ସାମଗ୍ରୀ ସେହିଠାରେ ହିଁ ଛାଡି କରି ଆସୁଛନ୍ତି । ଏହିସବୁ ଅଳିଆ ମଧ୍ୟରେ ବହୁ ଓଜନଦାର ମେସିନ, ଯନ୍ତ୍ରପାତି ତ ସାମିଲ ରହିଛି । ଏହା ବ୍ୟତୀତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯେପରିକି ତଉଲିଆ, ଟୁଥବ୍ରଶ ଓ ର୍ୟାକ, ଛୁରୀ ଓ ଚିମୁଟା ଇତ୍ୟାଦି ବି ରହିଛି । ଦି ଗାର୍ଜିୟନ ରିପୋର୍ଟ ଅନୁଯାୟୀ ଚନ୍ଦ୍ରପୃଷ୍ଠରେ ମାନବ ମଳ, ମୂତ୍ର, ବାନ୍ତି ଭର୍ତ୍ତି ୯୬ ପ୍ୟାକେଟ୍ ବି ପଡି ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ୨୦୦ ଟନ୍ ଅଳିଆ ପହଞ୍ଚିସାରିଲାଣି ।

ଆପୋଲୋ ମିଶନ ଯେଉଁ ସ୍ଥାନରେ ଲ୍ୟାଣ୍ଡିଂ କରିଥିଲା ତାହା ନିକଟରେ ବହୁ ଅଳିଆ ପଡି ରହିଛି ଯାହାକୁ କେବେ ଫେରାଇ ଅଣାଯାଇନାହିଁ । ଚନ୍ଦ୍ରପୃଷ୍ଠରେ ମୋଟାମୋଟି ଭାବରେ ୨୦୦ ଟନ୍ ଅଳିଆ ଜମା ହୋଇ ରହିଛି । ଆପୋଲୋ ମିଶନର ୫ ସାଟର୍ଣ୍ଣ ଭି ରକେଟ୍ ଏହି ଅବଶେଷ ମଧ୍ୟରେ ସବୁଠାରୁ ଓଜନଦାର ଅଟେ । ଏହା ବ୍ୟତିତ ମହାକାଶ ଯାନର ଭଗ୍ନାବଶେଷ ପଡି ରହିଛି ଯାହା ମିଶନର ଶେଷ ପର୍ଯ୍ୟାୟରେ ଚନ୍ଦ୍ରରେ ଦୁର୍ଘଟଣାର ଶିକାର ହୋଇଛି ।

ଏହା ବ୍ୟତିତ ଚନ୍ଦ୍ରପୃଷ୍ଠରେ ରୋବଟିକ ଲ୍ୟାଣ୍ଡର ଓ ରୋଭରର ଅବଶିଷ୍ଟାଂଶ ବି ବହୁ ମାତ୍ରାରେ ପଡି ରହିଛି । ଚନ୍ଦ୍ରପୃଷ୍ଠରେ ସୂକ୍ଷ୍ମ ଅବତରଣ କରିଥିବା ପ୍ରଥମ ମହାକାଶ ଯାନ ହେଉଛି ଲୁନା- ୯ । ଏହା ଚନ୍ଦ୍ରର ପଶ୍ଚିମ ମେରୁରେ ଅବତରଣ କରିଥିଲା ।
ଦୁର୍ଘଟଣାଗ୍ରସ୍ତ ଓ ଧ୍ୱଂସ ପାଇଥିବା ମହାକାଶ ଯାନ ବ୍ୟତ୍ିତ ଚନ୍ଦ୍ରରେ ବହୁ ବ୍ୟକ୍ତିଗତ ସାମଗ୍ରୀ ବି ପଡି ରହିଛି । ଯାହା ମଧ୍ୟରେ ରହିଛି ମଳ, ମୂତ୍ର ଭର୍ତ୍ତି ୯୬ ବ୍ୟାଗ, ଧାତୁ ଛଡ, ଗଲ୍ଫ ବଲ୍ ଇତ୍ୟାଦି । ଏହା ବ୍ୟତିତ ଆପୋଲୋ ୧୬ର ଅନ୍ତରୀକ୍ଷ ଯାତ୍ରୀ ଚାର୍ଲସ ଡ୍ୟୁକ ଛାଡିଯାଇଥିବା ଏକ ପାରିବାରିକ ଫଟୋଚିତ୍ର ବି ଏବେ ସେଠାରେ ପଡି ରହିଛି । ଯନ୍ତ୍ରାଂଶ ଆବର୍ଜନା କହିଲେ ଆପୋଲୋ ଲ୍ୟାଣ୍ଡିଂ ସାଇଟ୍ କ୍ୟାମେରା, ପାୱାର ପ୍ୟାକ, ଚିମେଟ୍, ଡ୍ରିଲ, ତଉଲିଆ , ବ୍ରଶ ଇତ୍ୟାଦି ଏଣେ ତେଣେ ପଡି ରହିଛି ।

Get real time updates directly on you device, subscribe now.