fbpx

ମୋଦୀଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ: ‘Grand Cross of the Order of Honour’ରେ ସମ୍ମାନିତ କଲା ଗ୍ରୀସ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗ୍ରୀସ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ମୋଦୀଙ୍କୁ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯାଇଛି । ମୋଦୀଙ୍କୁ ଗ୍ରୀସ ପକ୍ଷରୁ ‘ଗ୍ରାଣ୍ଡ କ୍ରସ ଅଫ୍ ଦି ଅର୍ଡର’ ସମ୍ମାନରେ ସମ୍ମାନିତ କରାଯାଇଛି । ଗ୍ରୀସ ରାଷ୍ଟ୍ରପତି କ୍ୟାଟରିନା ଏନ. ସକେଲାରୋପାଓଲୁ ମୋଦୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଗ୍ରୀସ ପ୍ରଧାନମନ୍ତ୍ରୀ କିରିୟାକୋସ ମିତ୍ସୋତାକିସଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦୀ ଏଥେନ୍ସରେ ପହଞ୍ଚିଥିଲେ ।

ତେବେ ଗ୍ରୀସ ପକ୍ଷରୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବା ପରେ ମୋଦୀ ଏନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ମୋତେ ‘ଗ୍ରାଣ୍ଡ କ୍ରସ ଅଫ୍ ଦି ଅର୍ଡର ଅଫ ଅନର’ରେ ସମ୍ମାନିତ କରିଥିବାରୁ ମୁଁ ଗ୍ରୀସ ରାଷ୍ଟ୍ରପତି, ସରକାର ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଏହା ଗ୍ରୀସ ଲୋକଙ୍କର ଭାରତ ପ୍ରତି ରହିଥିବା ସମ୍ମାନକୁ ଦର୍ଶାଉଛି । ସୂଚନାଯୋଗ୍ୟ ଯେ, ଏହା ଗ୍ରୀସର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ।

ଶେଷ ଥର ପାଇଁ ଗତ ୧୯୮୩ ମସିହା ସେପ୍ଟେମ୍ବର ମାସରେ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଗ୍ରୀସ୍ ଯାତ୍ରା କରିଥିଲେ । ଏହାପରେ ଦୀର୍ଘ ୪୦ ବର୍ଷ ପରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଗ୍ରୀସ୍ ଗସ୍ତ କରିଥିଲେ । ଗତ ୧୯୭୫ ମସିହାରେ ଅର୍ଡର ଅଫ୍ ଅନରର ସ୍ଥାପନ କରାଯାଇଥିଲା । ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ଗ୍ରୀସ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିଥାନ୍ତି ।

Get real time updates directly on you device, subscribe now.