ଓଡିଶା ଭାସ୍କର; ଲ୍ୟାଣ୍ଡର ଓ ପ୍ରଜ୍ଞାନ ଆଉ ଫେରିବେ ନା ନାହିଁ? ଚନ୍ଦ୍ରପୃଷ୍ଠରେ ସେମାନଙ୍କ ଆୟୁଷ କେତେ ଦିନ? ଇସ୍ରୋକୁ କେତେ ଦିନ ପର୍ଯ୍ୟନ୍ତ ସେମାନେ ତଥ୍ୟ ଦେଇପାରିବେ ? ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ନିହାତି ଆସୁଥିବ ? ତେବେ ଏହାର ଉତ୍ତର ଜାଣିବାକୁ ମନରେବି ଅନେକ ଆଗ୍ରହ ରହିଥିବ।
ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଓ ରୋଭରକୁ ମିଶାଇଲେ ଏହାର ଓଜନ ୧ ହଜାର ୭୪୯.୮୬ କିଲୋଗ୍ରାମ । କେବଳ ରୋଭର ପ୍ରଜ୍ଞାନର ଓଜନ ରହିଛି ୨୭ କେଜି । ଉଭୟ ୧୪ ଦିନ ପର୍ଯ୍ୟନ୍ତ ଇସ୍ରୋକୁ ତଥ୍ୟ ଯୋଗାଇବେ । ଛୋଟ କାର୍ ଆକାର ଭଳି ଦେଖାଯାଉଥିବା ଲ୍ୟାଣ୍ଡରର ଲମ୍ବ ୨ ମିଟର ଏବଂ ଓସାର ବି ୨ମିଟର୍ । ସେହିପରି ଏହାର ଉଚ୍ଚତା ୧.୧୬୬ ମିଟର ଥିବା ବେଳେ ଏଥିରେ ଏକାଧିକ କ୍ୟାମେରା ଓ ଉନ୍ନତ ସେନ୍ସର ଲାଗିଛି । ସୁରକ୍ଷିତ ଅବତରଣ ପାଇଁ ତଳେ ଲାଗିଥିଲା ୪ଟି ଥ୍ରଷ୍ଟର୍ ଓ ୪ଟି ମଜବୁତ ଗୋଡ଼ । ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ୟ୍ୟାୟ ଦେଇ ଗତି କରିଥିଲା ଲ୍ୟାଣ୍ଡର୍ ବିକ୍ରମ । ପ୍ରଥମେ ରଫ୍ ବ୍ରେକିଂ ଫେଜ୍, ପରେ ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଓ ଶେଷରେ ଟର୍ମିନାଲ୍ ଡିସେଣ୍ଟ ଫେଜ୍ ଦେଇ ଲ୍ୟାଣ୍ଡ କରିଥିଲା ।
ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ ବିକ୍ରମ ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍ ଦ୍ରୁତ ଗତିରେ ଯାଉଥିଲା । ସେହି ସମୟର ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ରହିଥିଲା । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିବା ପରେ ସେଥିରୁ ତଳକୁ ଏକ ସିଢ଼ି ଲମ୍ବିଥିଲା ଓ ଏହି ବାଟ ଦେଇ ତଳକୁ ଗଡ଼ିଆସି ଥିଲା ୬ ଚକିଆ ରୋଭର୍ ପ୍ରଜ୍ଞାନ । ଏହାର ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର । ଏହା ୧୪ ଦିନ ଯାଏଁ ଗଡ଼ିବାକୁ ଥିବା ବେଳେ ଚନ୍ଦ୍ରପୃଷ୍ଠରେ ଜାତୀୟ ପ୍ରତୀକ ଓ ଇସ୍ରୋ ଲୋଗୋର ଛାପ ଛାଡ଼ିଛି । ଲ୍ୟାଣ୍ଡରରେ ଲାଗିଥିବା ୩ଟି ପେ’ଲୋଡ୍ ବା ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ତାପ ପରିବହନ କ୍ଷମତା, କମ୍ପନ ଓ ଚନ୍ଦ୍ରପୃଷ୍ଠ ନିକଟରେ ଥିବା ପ୍ଲାଜମା ସଂପର୍କରେ ତଥ୍ୟ ସଂଗ୍ରହ କରିବ ।
ସେହିପରେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ପ୍ରଜ୍ଞାନଠାରୁ ଅନେକ କିଛି ଆଶା ରହିଛି । କାରଣ ଚନ୍ଦ୍ରର ଦକ୍ଷିଣମେରୁ ଏଯାଏଁ ଆବିଷ୍କାର ହୋଇନାହିଁ । ସେଠାରେ ୱାଟର ଆଇସ୍ ବା ଜଳବରଫ କେତେ ପରିମାଣରେ ରହିଛି, ସେ ସଂପର୍କିତ ତଥ୍ୟ ଦେବ ପ୍ରଜ୍ଞାନ । ଏଥିସହ ଚନ୍ଦ୍ରପୃଷ୍ଠରେ ବହୁ ଉପଯୋଗୀ ଖଣିଜ ପଦାର୍ଥ ମଧ୍ୟ ଥାଇପାରେ । ଏ ସଂପର୍କିତ ତଥ୍ୟ ମଧ୍ୟ ପ୍ରଜ୍ଞାନ ଜରିଆରେ ହାସଲ କରିହେବ । ଯାହା ସଂପର୍କରେ ଅଧିକ ଗବେଷଣା କରିହେବ ।
ସେକେଣ୍ଡ ପ୍ରତି ୧ ସେଣ୍ଟିମିଟର ଗତିରେ ଆଗକୁ ବଢୁଛି ପ୍ରଜ୍ଞାନ । ଦିନକୁ ପାଖାପାଖି ୩୦୦ରୁ ୪୦୦ ମିଟର ଯାତ୍ରା କରିବ । ଦକ୍ଷିଣ ମେରୁ ଅଞ୍ଚଳ ଆବୁଡ଼ାଖାବଡା । ବଡ଼ ବଡ଼ ଗର୍ତ୍ତ ମଧ୍ୟ ରହିଛି । ସାମନାରେ କଣ ଅଛି ତାକୁ ଭଲ କରି ଯାଞ୍ଚ କଲାପରେ ଆଗକୁ ଅଗ୍ରସର ହେଉଛି ପ୍ରଜ୍ଞାନ । ନହେଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଯାହାକି ମିଶନକୁ ପ୍ରଭାବିତ କରିବ । ସେହି ଦୃଷ୍ଟିରୁ ଧୀରେ ଧୀରେ ଆଗକୁ ବଢୁଛି ପ୍ରଜ୍ଞାନ । ୧୪ ଦିନରେ ପ୍ରାୟ ଅଧ କିଲୋମିଟର ପରିଧି ଅଞ୍ଚଳ ପ୍ରଦିକ୍ଷଣ କରିବ ପ୍ରଜ୍ଞାନ । ରୋଭରର ବେଗ ଅଧିକ ହେଲେ, ଅଧିକ ଶକ୍ତି କ୍ଷୟ ହେବ । ଆଉ ଏଥିପାଇଁ ବଡ଼ ମୋଟର ବି ଆବଶ୍ୟକ ।
ଉଭୟ ଲ୍ୟାଣ୍ଡର ବିକ୍ରମ ଓ ପ୍ରଜ୍ଞାନର ଆୟୁଷ ରହିଛି ୧୪ ଦିନ । କାରଣ ଏହି ଅଞ୍ଚଳରେ ୧୪ ଦିନ ଯାଏ ସୂର୍ଯ୍ୟାଲୋକ ପଡ଼ିଥାଏ । ୧୪ ଦନ ପରେ ଘନ ଅନ୍ଧକାର ଛାଇଯିବ । ବିନା ସୂର୍ଯ୍ୟ କିରଣରେ ସୋଲାର ପ୍ୟାନେଲ ଚାର୍ଜ ହୋଇପାରିବ ନାହିଁ । ଚନ୍ଦ୍ରର ଦକ୍ଷିଣ ମେରୁରେ ରାତିର ତାପମାତ୍ରା ମାଇନସ୍ ୨୦୦ରୁ ୨୫୦ ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଏ । ଏହା ରୋଭରର ସେନ୍ସରକୁ ଆକାମୀ ଦେବାର ଆଶଙ୍କା ରହିଛି । ତଥାପି ଆଶା ଛାଡ଼ି ନାହାନ୍ତି ଇସ୍ରୋର ବୈଜ୍ଞାନିକମାନେ । ୧୪ ଦିନ ପାଇଁ ଏହାକୁ ପ୍ରସ୍ତୁତ କରାଯାଇଥିଲେ ଏହା ଆହୁରି ଅଧିକ ଦିନ କାର୍ଯ୍ୟକ୍ଷମ ରହିବ ବୋଲି ଆଶା କରାଯାଉଛି । ୨୦୧୯ ଜାନୁଆରୀରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିଥିବା ଚୀନ୍ର ରୋଭର ଏବେ ବି ସକ୍ରିୟ ରହିଛି । ଯାହାର ଆୟୁ ଥିଲା ମାତ୍ର ୩ ମାସ । ତେବେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଓ ପ୍ରଜ୍ଞାନ ଆଉ ପୃଥିବୀକୁ ଫେରିବେ ନାହିଁ ।