fbpx

ଅଣଦେଖା କରନ୍ତୁନି ଏହି ଆଖିରୋଗ, ଲକ୍ଷଣ ଜାଣି ତୁରନ୍ତ କରନ୍ତୁ ଚିକିତ୍ସା, ଅନ୍ୟଥା ସବୁଦିନ ପାଇଁ ଚାଲିଯିବ ଦୃଷ୍ଟିଶକ୍ତି

ଗ୍ଲୁକୋମା ନାମକ ଆଖି ସହ ଜଡିତ ରୋଗ ବୟସ ପୂର୍ବରୁ ଆପଣଙ୍କ ଦୃଷ୍ଟିଶକ୍ତିକୁ ଦୂର୍ବଳ କରିଦେଇପାରେ । ଯଦି ଆପଣ ସମୟ ପୂର୍ବରୁ ଏହି ରୋଗର ଚିକିତ୍ସା ନ କରାଇବେ ତେବେ ସବୁଦିନ ପାଇଁ ଆପଣ ଦୃଷ୍ଟିଶକ୍ତି ହରାଇ ଦେଇପାରନ୍ତି ।
ଆଖି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତେଣୁ ଆଖି ସହ ଜଡିତ କିଛି ବି ସମସ୍ୟା ଉପୁଜିଲେ ତୁରନ୍ତ ଯାଞ୍ଚ କରାଇନେବା ଆବଶ୍ୟକ । ଆଖି ସହ ଜଡିତ ଏକ ଗମ୍ଭୀର ରୋଗ ହେଉଛି ଗ୍ଲୁକୋମା ଯେଉଁଥିରେ ପୀଡିତ ହେଲେ ରୋଗୀ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇ ଦେଇପାରେ । ସ୍ମୋକିଂ, ଦୀର୍ଘ ସମୟ ଧରି କମ୍ପ୍ୟୁଟର କି ମୋବାଇଲ୍ ସ୍କ୍ରିନକୁ ଚାହିଁ ରହିବା ଆଦି ବିଭିନ୍ନ କାରଣରୁ ଲୋକମାନେ ବଡ ସଂଖ୍ୟାରେ ଗ୍ଲୁକୋମାର ଶିକାର ହେଉଛନ୍ତି । ଏହି କ୍ରମରେ ଆସନ୍ତୁ ଜାଣିବା ଗ୍ଲୁକୋମା କ’ଣ ଓ ଏହା କିପରି ଦୃଷ୍ଟିଶକ୍ତି ନଷ୍ଟ କରିଦେଇପାରେ ।
ଗ୍ଲୁକୋମା କ’ଣ?
ଗ୍ଲୁକୋମା ହେଉଛି ଏପରି ରୋଗ ଯେଉଁଥିରେ ଆଖିର ଅପ୍ଟିକ ନର୍ଭକୁ କ୍ଷତି ପହଞ୍ଚିବା ଦ୍ୱାରା ଦୃଷ୍ଟିଶକ୍ତି କମ୍ ହୋଇଯାଏ । ଆଖି ସହ ଜଡିତ ଏହି ଅପ୍ଟିକ ନର୍ଭ ଆମ ମସ୍ତିଷ୍କକୁ କୌଣସି ଦୃଶ୍ୟ ସହ ସମ୍ବନ୍ଧିତ ସମସ୍ତ ସୂଚନା ପଠାଇଥାଏ ଓ ଏହା ଜରିଆରେ ଆମେ କୌଣସି ଜିନିଷକୁ ଚିହ୍ନି କାମ କରିଥାଉ । ଯଦି କିଛି କାରଣରୁ ଆମର ଅପ୍ଟିକ ନର୍ଭ ଉପରେ ଚାପ ପଡେ ଓ ତାହା ଦୂର୍ବଳ କିମ୍ବା କ୍ଷତିଗ୍ରସ୍ତ ହୋଇଯାଏ ତେବେ ଜନିଷକୁ ଚିହ୍ନିବାର କ୍ଷମତା ଦୂର୍ବଳ ହୋଇଯାଏ ଓ ଦୃଷ୍ଟିଶକ୍ତି କମ୍ ହୋଇଯାଏ । ତେବେ ଏ ପର୍ଯ୍ୟନ୍ତ ଗ୍ଲୁକୋମା ବିଷୟରେ କୁହାଯାଇଛି ଯେ, ଏହା ଅଧିକ ବୟସ ହେବା ପରେ ଅର୍ଥାତ୍ ୬୦ ବର୍ଷ ପରେ ଲୋକଙ୍କୁ ହୋଇଥାଏ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଦେଖାଯାଇଛି ସବୁ ବୟସର ଲୋକେୁ ଏପରିକି ପିଲାମାନେ ବି ଏହି ରୋଗର ଶିକାର ହୋଇଛନ୍ତି । ଯେଉଁମାନଙ୍କର ଡାଇବେଟିସ ରହିଛି ସେମାନଙ୍କ କ୍ଷେତ୍ରରେ ଗ୍ଲୁକୋମାର ଅଧିକ ଆଶଙ୍କା ରହିଛି ।
ଗ୍ଲୁକୋମାର ଲକ୍ଷଣ:
ଦୀର୍ଘ ସମୟ ଧରି ଆଖିରେ ଯନ୍ତ୍ରଣା ହେବା, ମୁଣ୍ଡ ବିନ୍ଧା ହେବା ପରି ଲକ୍ଷଣ ପ୍ରକାଶ ପାଇଥାଏ । ବ୍ୟକ୍ତିକୁ ଆଲୋକର ଚାରିପଟେ ଇନ୍ଦ୍ରଧନୁ ପରି ନଜର ଆସିଥାଏ । ଦୃଷ୍ଟିଶକ୍ତି ଦୂର୍ବଳ ହୋଇଯାଏ । ଏହା ସହିତ ବ୍ୟକ୍ତିର ଆଖି ସବୁ ସମୟରେ ଲାଲ ଦେଖାଯାଏ । ଏହିସବୁ ଲକ୍ଷଣ ଦେଖାଯାଉଥିଲେ ୬ମାସ ମଧ୍ୟରେ ଆଖି ବିଶେଷଜ୍ଞଙ୍କୁ ଦେଖାଇ ଚେକଅପ କରାଇନେବା ଜରୁରୀ ।

Get real time updates directly on you device, subscribe now.