ଇତିହାସ ରଚିଛି ଭାରତର ‘ମୁନ୍ ମିଶନ୍’ ଚନ୍ଦ୍ରଯାନ-୩ । ବିଶ୍ୱ ମହାକାଶ ବିଜ୍ଞାନ ଇତିହାସରେ ପ୍ରଥମ ଥର ପାଇଁ ଚନ୍ଦ୍ରର ଦକ୍ଷିଣମେରୁର ମାଟି ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି ଲାଣ୍ଡର ବିକ୍ରମ । ଏହାର ଭୂପୃଷ୍ଠ ତଳେ ୧୦ ସେଣ୍ଟିମିଟର ପର୍ଯ୍ୟନ୍ତ ତାପମାତ୍ରାର ମଧ୍ୟ ସୂଚନା ଦେଇଛି । ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂର ୫ଦିନ ପରେ ରବିବାର ଇସ୍ରୋ ଚନ୍ଦ୍ରଯାନ-୩ ଦ୍ୱାରା ପ୍ରଦତ୍ତ ତଥ୍ୟ ସେୟାର କରିଛି । ଚନ୍ଦ୍ରରେ କିଭଳି ହୋଇଥାଏ ଭୂମି? ପୃଥିବୀଠାରୁ କେତେ ଭିନ୍ନ ହୋଇଥାଏ ସେଠାକାର ମାଟି ଏବଂ ବାୟୁମଣ୍ଡଳ? ଏସବୁ ପ୍ରଶ୍ନର ଉତ୍ତର ସହିତ ଚନ୍ଦ୍ରରୁ ଭୂମିର ଫଟୋ ମଧ୍ୟ ସେୟାର କରିଛି ଚନ୍ଦ୍ରଯାନ-୩ ।
ଚନ୍ଦ୍ରପୃଷ୍ଠରେ ଭାରତ ପହଞ୍ଚିବା ପରେ ଜହ୍ନ ରାଇଜର ଅଜଣା କଥା ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ଚନ୍ଦ୍ରମାର ବିଭିନ୍ନ ଜାଗାରେ ବୁଲି ବୁଲି ଏହାର ତଥ୍ୟ ପଠାଉଛନ୍ତି ରୋଭର ପ୍ରଜ୍ଞାନ ଏବଂ ଲାଣ୍ଡର ବିକ୍ରମ । ବର୍ତ୍ତମାନ ଏହି ତଥ୍ୟରୁ ଚନ୍ଦ୍ରର ଭୂମିକୁ ନେଇ କିଛି ଫଟୋ ସେୟାର କରିଛି ବିକ୍ରମ । ଯାହାକୁ ଦେଖି ଆପଣ ଅନୁମାନ କରିପାରିବେ କି ଚନ୍ଦ୍ରରେ ଭୂମି କେମିତି ଅଛି । ଆଜି ପର୍ଯ୍ୟନ୍ତ ଅଧିକାଂଶ ଲୋକେ ଭାବୁଥିବେ ଯେ, ଚନ୍ଦ୍ରର ଭୁମି ମଧ୍ୟ ପୃଥିବୀ ସହ ସମାନ ହେବ, କିନ୍ତୁ ତାହା ନୁହେଁ । ସେଠାକାର ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ବୋଲି ଇସ୍ରୋର ଏହି ପୋଷ୍ଟରେ ଜାଣିବାକୁ ମିଳିଛି । ନାସାର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପୃଥିବୀ ପରି ଚନ୍ଦ୍ରରେ ସମତଳ, ପର୍ବତ ଏବଂ ଉପତ୍ୟକା ରହିଛି ଏବଂ ଏହା କେବଳ ମରୁଭୂମି ପରି ଦେଖାଯାଏ । ଏପରି ଅନେକ ବଡ଼ ବଡ଼ ଖାଲ ମଧ୍ୟ ଅଛି, ଯାହା ମହାକାଶ ପଥର ଏବଂ ଗ୍ରହାଣୁର ମୁହାଁମୁହିଁ ଧକ୍କା ଯୋଗୁଁ ହୋଇଥାଏ । କିନ୍ତୁ ଚନ୍ଦ୍ରରେ ନିଶ୍ୱାସ ନେବା ପାଇଁ ବାୟୁ ନାହିଁ । ଚନ୍ଦ୍ରରେ ବାୟୁମଣ୍ଡଳ ନାହିଁ । ଅର୍ଥାତ୍ ଏଠାରେ ପବନ ନାହିଁ, ପାଣିପାଗ ନାହିଁ ଏବଂ ଏହି କାରଣରୁ ଏଠାରେ କୌଣସି ଗଛ ମଧ୍ୟ ନାହିଁ ।
ଉଦାହରଣ ସ୍ୱରୂପ, ଯଦି ଏଠାରେ ଏକ ଚିହ୍ନ ହୋଇଯାଏ, ତେବେ ତାହା କେବେ ବି ଯାଏ ନାହିଁ । ଯେମିତି ମହାକାଶଚାରୀମାନେ ଯେତେବେଳେ ବି ଚନ୍ଦ୍ରରେ ଚାଲିଛନ୍ତି, ସେମାନଙ୍କର ଧୂଳିଆ ପାଦ ଚିହ୍ନ ଏବେ ବି ସେଠାରେ ଅଛି ଏବଂ ତାହା ଆଗକୁ ମଧ୍ୟ ସେଠାରେ ରହିବ ବୋଲି କହିଛି ନାସା । ଏହାବ୍ୟତୀତ ଏଠାରେ ଅନେକ ପଥର ଭଳି ଆକୃତି ରହିଛି । ଯେମିତି ପୃଥିବୀରେ ଜମି ଆଉ ମାଟି ଅଛି । ତେବେ ପୃଥିବୀ ପରି ସେଠାରେ ଏସବୁ ସମାନ ନୁହେଁ । ସେଠାରେ ପାଉଡର କିଛି ଭଳି ପଦାର୍ଥ ମାଟିକୁ ଘୋଡ଼ାଇ ରଖିଥାଏ । ଚନ୍ଦ୍ରପୃଷ୍ଠରେ ଅଗ୍ନେୟ ପଥର ରହିଛି । ବିଶ୍ୱାସ କରାଯାଏ ଯେ, ଏହି ହାଇଲାଣ୍ଡଗୁଡିକ ଆନୋର୍ଥୋସାଇଟ୍ ଦ୍ୱାରା ଗଠିତ ଏବଂ ଏଥିରେ କ୍ୟାଲସିୟମ ମଧ୍ୟ ରହିପାରେ । କିନ୍ତୁ ପୃଥିବୀ ଚନ୍ଦ୍ରର ଭୂମି ଅପେକ୍ଷା ଖୁବ ଅଲଗା । ଏଠାରେ ମାଟି ରହିବା ସହ ବାୟୁମଣ୍ଡଳ ଏବଂ ପବନ ରହିଛି । ଯାହାଦ୍ୱାରା ଗଛଲତା ଏବଂ ଜୀବଜନ୍ତୁଙ୍କ ବଞ୍ଚିବା ସମ୍ଭବ ହେଇପାରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏବେ ବି କ’ଣ ଚନ୍ଦ୍ରରେ ଜୀବନଯାପନ ସମ୍ଭବ ହୋଇପାରିବ କି?