fbpx

ବାହାନଗା ଟ୍ରେନ୍ ଦୁର୍ଘଟଣା: ଗିରଫ ୩ ଜଣଙ୍କ ନାମରେ ଚାର୍ଜଶିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଦୁର୍ଘଟଣା ଆଜି ପର୍ଯ୍ୟନ୍ତ ମନରୁ ଲିଭି ନାହିଁ । ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ୧ ହଜାରରୁ ଅଧିକ ଆହତ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା କିଛି ମୃତକଙ୍କ ଶବ ଚିହ୍ନଟ ହୋଇ ପାରି ନଥିବା ବେଳେ ତାହାକୁ ହସ୍ପିଟାଲରେ ସଂରକ୍ଷିତ କରି ରଖାଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଯାତ୍ରୀ ଏବେ ମାନସିକ ରୋଗୀଙ୍କ ପରି ବ୍ୟବହାର ପ୍ରଦର୍ଶନ କରୁଥିବା ଜଣାପଡ଼ିଛି ।

ତେବେ ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଆସିଛି ଏକ ଅପଡେଟ୍ । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ପକ୍ଷରୁ ୩ ଜଣ ରେଳ କର୍ମଚାରୀଙ୍କ ନାମରେ ଚାର୍ଜଶିଟ୍ ଦାଖଲ କରାଯାଇଛି । ବରିଷ୍ଠ ସେକ୍ସନ ଯନ୍ତ୍ରୀ ଅରୁଣ ମହାନ୍ତ, ସେକ୍ସନ ଯନ୍ତ୍ରୀ ମହମ୍ମଦ ଅମୀର ଖାନ, ଓ ଟେକ୍ନିସିଆନ ପପୁ କୁମାରଙ୍କ ନାମରେ ସିବିଆଇ ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଛି । ଆଇପିସି ଦଫା ୩୦୪ (୨), ୩୪, ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଏହି ଚାର୍ଜଶିଟ୍ ପ୍ରସ୍ତୁତ ହୋଇଛି ।

ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟିବାର ୧ ମାସ ପରେ ଜୁଲାଇ ମାସ ୭ ତାରିଖରେ ଏହି ତିନିଜଣ ମାଷ୍ଟର ମାଇଣ୍ଡଙ୍କୁ ସିବିଆଇ ଗିରଫ କରିଥିଲା । ଏହି ତିନିଜଣ ରେଳ କର୍ମଚାରୀଙ୍କର ଟ୍ରେନ ଦୁର୍ଘଟଣାରେ ହାତ ଥିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା । ଏଥିସହିତ ସେମାନଙ୍କୁ ପଚରାଉଚରା କରାଯିବା ସହ ସତ ଖୋଜିବାକୁ ପ୍ରୟାସ କରିଥିଲା ତଦନ୍ତକାରୀ ସଂସ୍ଥା । ସେମାନଙ୍କ ବିରୋଧରେ କିଛି ସୁରାକ ମିଳିବା ପରେ ଧାରା ୩୦୪ ଓ ୨୦୧ ସିଆରପିସି ଅନୁସାରେ ସେମାନଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.