fbpx

ଖରାପ ଯୁଦ୍ଧ ବିମାନ ନେଇ ଠକି ଦେଇଛି ପାକିସ୍ତାନ: ମିଆଁମାର ଦେଲା କଡ଼ା ଜବାବ

ନୂଆଦିଲ୍ଲୀ: ପୁଣିଥରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଠକ ବୋଲି ପ୍ରମାଣିତ ହୋଇଛି ପାକିସ୍ତାନ । ମିଆଁମାର ସାରା ବିଶ୍ୱ ସାମ୍ନାରେ ପାକିସ୍ତାନକୁ ଧୋକାବାଜ ବୋଲି ସମ୍ବୋଧନ କରିଛି । ଖରାପ ଜିନିଷ ଦେଇ ପାକିସ୍ତାନ ଠକି ଦେଇଥିବା କହିଛି ମିଆଁମାର । ୨୦୧୯-୨୧ ମସିହା ଭିତରେ ମିଆଁମାର ସୈନ୍ୟ ସରକାର ଜୁଣ୍ଟା ଜେଜି-୧୭ ଥଣ୍ଡର ମଲ୍ଟି ରୋଲ ଯୁଦ୍ଧ ବିମାନ ପାକିସ୍ତାନରୁ ଆଣିଥିଲା । କିନ୍ତୁ ବର୍ତ୍ତମାନ ଏହି ଯୁଦ୍ଧ ବିମାନଗୁଡ଼ିକୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଛି । ପାକିସ୍ତାନ ଦେଇଥିବା ଯୁଦ୍ଧ ବିମାନଗୁଡ଼ିକ ଭିତରୁ ମୋଟ ୧୧ଟି ବିମାନ ବିଭିନ୍ନ ସମସ୍ୟା ଯୋଗୁଁ କାମ କରୁ ନଥିବା ବେଳେ ଏହାକୁ ନେଇ ସୈନ୍ୟ ଜୁଣ୍ଟା ପାକିସ୍ତାନ ଉପରେ ଅସନ୍ତୋଷ ଜାହିର କରିଛି ।

ସୂଚନା ଅନୁସାରେ, ୨୦୧୬ ମସିହାର ଏକ ଚୁକ୍ତିରେ ପାକିସ୍ତାନରୁ ଜେଏଫ-୧୭ଯୁଦ୍ଧ ବିମାନ କିଣିଥିଲା ମିଆଁମାର । ଚୀନର ଚେଗନ୍ଦୁ ଏୟାରକ୍ରାଫ୍ଟ ଇଣ୍ଡଷ୍ଟ୍ରିଜ କର୍ପୋରେସନ ସହ ମିଶି ପାକିସ୍ତାନର ଏରୋନଟିକାଲ କମ୍ପେ୍ଲକ୍ସ ଏହି ବିମାନ ପ୍ରସ୍ତୁତ କରିଥିଲେ । ତେବେ ଯୁଦ୍ଧ ବିମାନ ପାଇବାର କିଛି ସମୟ ପରେ ମିଆଁମାରକୁ ଏହାର ପରିଚାଳନା ବନ୍ଦ କରିବାକୁ ପଡ଼ିଛି । ଏହି ଯୁଦ୍ଧ ବିମାନଗୁଡ଼ିକରେ ଅନେକ ପ୍ରକାରର ସମସ୍ୟା ରହିଥିବାରୁ ଏହି ପରିଚାଳନା ଉପରେ ରୋକ ଲାଗିଥିବା ଜାଣିବାକୁ ମିଳିଛି । ୨୦୨୨ରେ ମଧ୍ୟ ପାକିସ୍ତାନ ମିଆଁମାରକୁ ଜେଏଫ-୧୭ ଯୁଦ୍ଧ ବିମାନ ପଠାଇଥିଲା । ସେଥିରେ ମଧ୍ୟ ଏଭଳି ଅନେକ ସମସ୍ୟା ଚିହ୍ନଟ ହୋଇଥିବା ବେଳେ ଏହା ଦ୍ୱିତୀୟ ଥର ପାଇଁ ଧୋକା ଦେଇଛି ପାକିସ୍ତାନ । ଏହାକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ ଏବଂ ସେନା ପ୍ରମୁଖ ଜେନେରାଲ ଅସୀମ ମୁନାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ମିଆଁମାର ସୈନ୍ୟ ଜୁଣ୍ଟାର ନେତା ଜେନେରାଲ ମିନ୍ ଆଙ୍ଗ ଲାଇଙ୍ଗ । ପାକିସ୍ତାନ ଦ୍ୱାରା ଠକାମୀର ଶିକାର ହେବା ପରେ କଡ଼ା ସନ୍ଦେଶ ଦେଇ ଏହାର ଜବାବ ମାଗିଛି ମିଆଁମାର ।

ରିପୋର୍ଟ ମୁତାବକ, ଯୁଦ୍ଧ ବିମାନରେ ଦେଖା ଦେଇଥିବା ସମସ୍ୟାଗୁଡ଼ିକ ସମାଦାନ କରିବା ପାଇଁ ପାକିସ୍ତାନର ଇଞ୍ଜିନିୟର ମିଆଁମାର ଗସ୍ତ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ବିମାନଗୁଡ଼ିକରେ ସମାନ ସମସ୍ୟା ଦେଖିବାକୁ ମିଳିବା ପରେ ପାକିସ୍ତାନ ଉପରେ କ୍ଷୁବ୍ଧ ହୋଇଛନ୍ତି ମିଆଁମାରର ସୈନ୍ୟ ସରକାର । ଏଥିପାଇଁ ମିଆଁମାରକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି ଏବଂ ଆକାଶ ସେନାରେ ଦୁର୍ବଳ ହୋଇଛି ଦେଶ । ତେଣୁ ଚୀନ ଏଥିରେ ହସ୍ତକ୍ଷେପ କରି ସମସ୍ୟାକୁ ସମାଧାନ କରିବା ପାଇଁ ମିଆଁମାର ଦାବି କରିଛି ।

Get real time updates directly on you device, subscribe now.