fbpx

ଆହୁରୀ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା : ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବୁଧବାରକୁ ଦୁର୍ବଳ ହୋଇପଡ଼ିଛି। କିନ୍ତୁ ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ଆଜି ବି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ବାୟୁମଣ୍ଡଳରେ ୭.୬ କିମି ଯାଏଁ ସକ୍ରିୟ ରହିଛି । ଫଳରେ ଆସନ୍ତା ୨ ଦିନ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ରାଜ୍ୟରେ ୬୬.୨ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୫୯.୪ ମିମି ତୁଳନାରେ ୧୧ ପ୍ରତିଶତ ଅଧିକ ରହିଛି । ତେବେ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଥିଲେ ବି ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାହେବ। ୭ ତାରିଖରେ ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ହାରାହାରି ୧୭.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦.୯ ମିମି ତୁଳନାରେ ୬୦ ପ୍ରତିଶତ ଅଧିକ ରହିଛି । ତେବେ ୯ତାରିଖରୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ଆକଳନ କରି ଆଗୁଆ ସୂଚନା ଦେଇଛନ୍ତି । ପୁଣି ସେ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବର୍ଷାର ପରିମାଣ ବଢିବ ।

Get real time updates directly on you device, subscribe now.