fbpx

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗର ସୂଚନା ପରେ ସତର୍କ ଘଣ୍ଟି ବଜାଇଲେ ଏସ୍‌ଆରସି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବୁଧବାର ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଏବଂ ଛତିଶଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହିସବୁ ଜିଲା ପାଇଁ ରେଡ୍‌ ୱାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ନୟାଗଡ଼, କଟକ, ଅନୁଗୋଳ, ଗଞ୍ଜାମ ଆଦି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି।

ତେବେ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି)ଙ୍କ ପକ୍ଷରୁ ପରାମର୍ଶ ମଧ୍ୟ ଜାରି ହୋଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ବିପର୍ଯ୍ୟୟକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ରାସ୍ତା, ବ୍ରିଜ ଓ ନିଷିଦ୍ଧାଞ୍ଚଳରେ ଯାନବାହନ ଭିଡ ରହିଲେ, ପୁଲିସ ଓ ସ୍ଥାନୀୟ ଅଧିକାରୀ ଏହାରି ଉପରେ ନଜର ରଖିବାକୁ କୁହାଯାଇଛି । ସେହିପରି କୌଣସି ସ୍ଥାନରେ ଘର ଭାଙ୍ଗିଲେ, ପୀଡିତ ପରିବାରକୁ ପଲିଥିନ ଉପଲବ୍ଧ କରାଯିବା ସହିତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ହୋଇଛି। କୌଣସି ସ୍ଥାନରେ ରାସ୍ତାଉପରେ ଗଛ ପଡ଼ିଥିଲେ, ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯଥାଶୀଘ୍ର ଯାତାୟତ ସ୍ୱାଭାବିକ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଏସ୍‌ଆରସି ପକ୍ଷରୁ କୁହାଯାଇଛି, ଜନସାଧାରଣ ପାଣିପାଗ ଉପରେ ନଜର ରଖି ଯାତାୟତ କରନ୍ତୁ। ବଜ୍ରପାତ ସମୟରେ ବାହାରକୁ ନଯାଇ ସୁରକ୍ଷିତ ରୁହନ୍ତୁ। ଜିଲ୍ଲା ପ୍ରଶାସନ ସମୟ ସମୟରେ ଏସ୍‌ଆରସିଙ୍କୁ ସ୍ଥିତି ନେଇ ସୂଚନା ପ୍ରଦାନ କରନ୍ତୁ।

ସୂଚନା ଥାଉକି, ଆସନ୍ତା ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ଲାଗିରହିବ। ସେହିପରି ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଚଳିତ ମାସ ଶେଷ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Get real time updates directly on you device, subscribe now.