fbpx

ପୀଡିତାଙ୍କ ଅଧିକାର ଉଲ୍ଲଂଘନ କରୁଛି ଗଣମାଧ୍ୟମ, ଖବର ପ୍ରକାଶକୁ ନେଇ କଠୋର ହେଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗଣମାଧ୍ୟମରେ ଏକତରଫା ଖବର ପ୍ରସାରଣ (ମିଡିଆ ଟ୍ରାଏଲ)କୁ ନେଇ ସୁପ୍ରିମ କୋର୍ଟ ଅସନ୍ତୋଷ ହେବା ସହ କଠୋର ହୋଇଛନ୍ତି। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଳାୟ ଭିତ୍ତିରେ ୩ ମାସ ଭିତରେ ମାର୍ଗଦର୍ଶିକା ଆଣିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏହା ଛଡାସବୁ ରାଜ୍ୟର ପୋଲିସ ଡିଜି ଏକ ମାସ ଭିତରେ ସ୍ୱରାଷ୍ଟ୍ର ମନ୍ତ୍ରଳାୟକୁ ପ୍ରସ୍ତାବ ଦେବାକୁ କୁହାଯାଇଛି ।

୨୦୧୭ରେ ଉକ୍ତ ନିର୍ଦ୍ଦେଶ କରାଯାଇଥିଲା। ଏହି ମାମଲାରେ ଜାତୀୟ ମାନବ ଅଧିକାର କମିଶନଙ୍କ ମତ ଉପରେ ମଧ୍ୟ ବିଚାର କରାଯିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ ରହିଛି । ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ, ଜଷ୍ଟିସ ପି.ଏସ ନରସିହ୍ନା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରୁଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ୨୦୨୪ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ । ମିଡିଆ ଟ୍ରାଏଲ ସହ ପୋଲିସ ଏନକାଉଣ୍ଟର ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । କେନ୍ଦ୍ର ସରକାର ତୁରନ୍ତ ପୋଲିସ ଦ୍ୱାରା ଗଣମାଧ୍ୟମ ବିବୃତି ସଂକ୍ରାନ୍ତରେ ମାର୍ଗଦର୍ଶିକା ଜାରି କରିବେ ବୋଲି ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କୋର୍ଟଙ୍କୁ କହିଛନ୍ତି ।

ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ମିଡିଆ ଟ୍ରାଏଲ ଯୋଗୁଁ ନ୍ୟାୟ ପ୍ରଭାବିତ ହେଉଛି । ଏଥି ପାଇଁ ପୋଲିସକୁ ସମ୍ବେଦନଶୀଳ ହେବାକୁ ପଡିବ । କୌଣସି ମାମଲାରେ କେତେ ତଥ୍ୟ ବାହାରେ ପ୍ରକାଶ କରିବା ଆବଶ୍ୟକ ଏବଂ କାହାକୁ ପ୍ରଘଟ କରାଯିବା ଉଚିତ କାହାକୁ ନୁହେଁ ଏହା ପୋଲିସ ବିଚାର କରିବ । କାରଣ ଏଥିରେ ପୀଡିତାଙ୍କ ସହ ଅଭିଯୁକ୍ତଙ୍କ ସ୍ୱାର୍ଥ ଏବଂ ଅଧିକାର ମଧ୍ୟ ସାମିଲ ରହିଛି । ଏହା ସହ ଲୋକଙ୍କ ହିତକୁ ମଧ୍ୟ ଦୃଷ୍ଟି ଦେବାକୁ ପଡିବ । କୌଣସି ମାମଲାର ଯାଞ୍ଚ କରିବା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ପ୍ରଘଟ କରିବା ଦ୍ୱାରା ତଦନ୍ତ ପ୍ରଭାବିତ ହୋଇପାରେ ।

ମିଡିଆ ଟ୍ରାଏଲ ଦ୍ୱାରା କୌଣସି ଅଭିଯୁକ୍ତ କିମ୍ବା ଅଭିଯୋଗକାରୀଙ୍କ ଗୋପନୀୟତା ଅଧିକାର ଯେପରି ଉଲ୍ଲଂଘନ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଅନ୍ୟ ପକ୍ଷରେ ୨୦୧୪ମସିହାରେ ଏକ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏନକାଉଣ୍ଟର ପ୍ରକ୍ରିିୟା ଏବଂ ଏହାର ପରବର୍ତ୍ତୀ ତଦନ୍ତ ନିୟମାବଳୀ ଉପରେ ମାର୍ଗ ଦଶିକା ଜାରି କରିଥିଲେ ବୋଲି ଶୁଣାଣି ବେଳେ ଅବଗତ କରାଯାଇଥିଲା । ସୂଚନା ଆଧାରରେ ଏନକାଉର୍ଟର ପାଇଁ ଯିବା ପୂର୍ବରୁ ଡାଏରୀ କରିବା, ଘଟଣା ପରେ ମୃତ ବ୍ୟକ୍ତିର ରଙ୍ଗୀନ ଫଟୋ ଉଠାଇବା, ଆବଶ୍ୟକ ନମୁନା ସଂଗ୍ରହ କରିବା, ସାକ୍ଷୀଙ୍କ ସମ୍ପୂର୍ଣ୍ଣ ଠିକଣା ରଖିବା, ସରକାରୀ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ଆଦି ପକ୍ରିୟା ଉପରେ ଉକ୍ତ ମାର୍ଗ ଦର୍ଶିକା ସୂଚାଉଥିବା କୁହାଯାଇଥିଲା ।

Get real time updates directly on you device, subscribe now.