ଅକ୍ଟୋବର ପ୍ରଥମ ସପ୍ତାହରେ ନାହିଁ ବାତ୍ୟା ଆଶଙ୍କା; ଆଇଏମଡି

ଓଡିଶା ଭାସ୍କର; ପଶ୍ଚିମ ବାୟୁ ସହ ଥିବା ବିଷୁବରେଖା ନିକଟରେ ତରଙ୍ଗ ଥିବା ଯୋଗୁଁ ଏହି ମାସର ଶେଷ ଆଡକୁ ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୟ ବଙ୍ଗୋପସାରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଅଳ୍ପ ଅଳ୍ପ ଘନୀଭୂତ ହୋଇ ଆସନ୍ତା ମାସ ଅର୍ଥାତ ଅକ୍ଟୋବର ୨-୩ ତାରିଖ ଆଡକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବ । ଏହି ଘୂର୍ଣ୍ଣିବଳୟଟି ଓଡ଼ିଶା ମୁହାଁ ହେବାର ସମ୍ଭାବନା ଥିବା ନେଇ କୁହାଯାଉଥିଲା । ହେଲେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆଇଏମଡି ।

ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ କୌଣସି ବାତ୍ୟା ଆଶଙ୍କା ନଥିବା ଆଇଏମଡି ସୂଚନା ଦେଇ କହିଛନ୍ତି । ବାତ୍ୟାକୁ ନେଇ ଭୟଭୀତ ନହେବାକୁ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ସେପ୍ଟେମ୍ବର ୩୦ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ହେଲେ ବାତ୍ୟା ନେଇ କୌଣସି ଆଶଙ୍କା ନାହିଁ । ଅନ୍ୟ ମଡେଲର ଆକଳନକୁ ଦେଖି ବିଚଳିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ୩୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରଥମେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କ୍ରମଶଃ ଏହା ଲଘୁଚାପରେ ପରିଣତ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।