fbpx

ଘାଟିରେ ଚାଲିଗଲା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ, ସ୍କୁଟିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ…

ଓଡିଶା ଭାସ୍କର; ଘାଟିରେ ଚାଲିଗଲା ଗୋଟିଏ ପରିବାରର ତିନିଜଣଙ୍କ ଜୀବନ । ସ୍କୁଟିରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅନ୍ତର୍ଗତ ଲଙ୍ଗଲବେଡ଼ା ପଞ୍ଚାୟତ କସମ ଘାଟିରେ ।

ସୂଚନା ମୁତାବକ, ଗୋଟିଏ ପରିବାରର ଜୟ ରାଜୁ (୧୯), ମାରି ଶିବା(୨୦) ଓ ମାଲିକା ବାଲରାଜୁ (୨୧) ସ୍କୁଟି ଯୋଗେ ଉକ୍ତ ରାସ୍ତାଦେଇ ଫେରୁଥିଲେ । ହେଲେ ଭାରସାମ୍ୟ ହରେଇ ଏକ ବିରାଟ ପଥରରେ ବାଡ଼େଇ ହେବା ଫଳରେ ଦୁଇଶହ ମିଟର ତଳକୁ ଛିଟିକିପଡିଥିଲେ । ଘଟଣାସ୍ଥଳରେ ହିଁ ଏହି ତିନି ଜଣ ଯୁବକ-ରାଜୁ, ଶିବା ଓ ବାଲରାଜୁଙ୍କ ଜୀବନ ଚାଲିଯାଇଥିଲା। ତେବେ ଏହି ଭୟାନକ ଦୁର୍ଘଟଣାରେ ସ୍କୁଟି ଗାଡିଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଏହି ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହା ସହ ଦୀର୍ଘ ଏକ ଘଣ୍ଟା ଯାଏଁ ଉଦ୍ଧାର କାମରେ ନିୟୋଜିତ ଥିଲେ । ରାତି ସାଢ଼େ ସାତଟା ବେଳକୁ ତିନି ମୃତଦେହକୁ ଆମ୍ବୁଲାନ୍ସରେ ଆଣି ଶବବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ଏହାର ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତ ଯୁବକ ଆନ୍ଧ୍ର ପ୍ରଦେଶର ପାର୍ବତୀପୁର ମାନ୍ୟମ ଜିଲ୍ଲା ଅନ୍ତର୍ଗତ ମକୁଆ ମଣ୍ଡଳର ଆନସୁଭଦ୍ରାଗ୍ରାମର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.