fbpx

ଦେଶରେ କମ୍ ହେଉଛି ‘ବାଘମାମୁଁ’ଙ୍କ ସଂଖ୍ୟା: ମାତ୍ର ୯ ମାସରେ ପ୍ରାୟ ୧୫୦ ବାଘ ମୃତ୍ୟୁ

ନୂଆଦିଲ୍ଲୀ: ଜଙ୍ଗଲର ପଶୁପକ୍ଷୀମାନଙ୍କ ଉପରକୁ ଏକ ବଡ଼ ବିପଦ ମାଡ଼ି ଆସୁଛି । ବିଶେଷ କରି ଭାରତର ଜାତୀୟ ପଶୁ ବାଘଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଗତ ୯ ମାସ ଭିତରେ ସାରା ଦେଶରେ ପ୍ରାୟ ୧୫୦ ବାଘ ମୃତ୍ୟୁବରଣ କରିଥିବା ରେକର୍ଡ ହୋଇଛି । ବାଘକୁ ଭାରତର ଜାତୀୟ ପଶୁର ଆଖ୍ୟା ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସେହି ବାଘମାମୁଁ ର ସୁରକ୍ଷା ଓ ସଂରକ୍ଷଣ ଉପରେ ପ୍ରଶ୍ନ ଉଠିଛି ।

ଦେଶର ଜାତୀୟ ପଶୁ, ଏହାର ସୁରକ୍ଷା ଏବଂ ସଂରକ୍ଷଣକୁ ନେଇ ଏକ ଉଦବେଗଜନକ ତଥ୍ୟ ଦେଇଛି ଏନଟିସିଏ । ଏଥିରେ ବିଗତ ମାତ୍ର ୯ ମାସ ଭିତରେ ଦେଶର ୧୪୬ ଟି ବାଘ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି । ଚଳିତବର୍ଷ ଜାନୁୟାରୀ ମାସରୁ ଗତ ସେପ୍ଟେମ୍ବର ୨୩ ତାରିଖ ମଧ୍ୟରେ ଦେଶର ମୋଟ ୧୪୬ଟି ବାଘ ପ୍ରାଣ ହରାଇଛନ୍ତି । ତେବେ ଏହା ଚଳିତବର୍ଷ ନୁହେଁ, ବରଂ ଗତ ୧୧ ବର୍ଷ ମଧ୍ୟରେ ସର୍ବାଧିକ ବାଘ ମୃତ୍ୟୁ ବୋଲି ଜାଣିବାକୁ ମିଳିଛି । ୨୦୧୨ ମସିହା ପରେ ଚଳିତବର୍ଷ ଦୋରେ ସବୁଠାରୁ ଅଧିକ ବାଘ ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି । ଏଥିମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୩୪ଟି ବାଘ ଏବଂ ମହାରାଷ୍ଟ୍ରରେ ୩୨ ବାଘ ମୃତ୍ୟୁବରଣ କରିଛନ୍ତି । ସେହିପରି ମୃତ୍ୟୁବରଣ କରିଥିବା ୧୪୬ଟି ବାଘ ଭିତରୁ ୭୦ ବାଘ ବିଭିନ୍ନ ଅଭୟାରଣ୍ୟର ହୋଇଥିବା ଜାଣିବାକୁ ମିଳିଛି ।

ତେବେ ବିଶେଷ କରି ଦୁର୍ଘଟଣା, ପରସ୍ପର ସହିତ ଲଢେଇ ଏବଂ ଶିକାରରେ ହିଁ ଅଧିକାଂଶ ବାଘ ପ୍ରାଣ ହରାଇଛନ୍ତି । ତେବେ ଚଳିତବର୍ଷ ୯ ମାସରେ ୧୪୬ ବାଘ ମରିଥିବା ବେଳେ ଗତବର୍ଷ ମୋଟ ୧୨୧, ଗତ ୨୦୨୧ରେ ୧୨୭ଟି ବାଘଙ୍କର ମୃତ୍ୟୁ ହୋଇଥିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ବା ଏନଟିସିଏ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.