fbpx

ଆରପାରିରେ ସ୍ୱର୍ଗତ କଳ୍ପନା ଚାୱଲାଙ୍କ ପିତା…୯୦ ବର୍ଷ ବୟସରେ ଦେହାନ୍ତ

ଓଡିଶା ଭାସ୍କର; ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ ସ୍ୱର୍ଗତ କଳ୍ପନା ଚାୱଲାଙ୍କ ପିତା ବନାରସୀ ଲାଲ ଚାୱଲାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ କଳ୍ପନା ଚାୱଲାଙ୍କ ପିତା ବନାରସୀ ଲାଲ ଚାୱଲା ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ଲାଗି ହରିୟାଣାର କର୍ନାଲର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ମଙ୍ଗଳବାର ବା ଆଜି ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ଖବର ଆସି ପହଞ୍ଚିଛି।

ବନାରସୀ ଲାଲ ଚାୱଲାଙ୍କ ଦେହାନ୍ତ ଖବର ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ସେ ତାଙ୍କ ଝିଅଙ୍କୁ ସ୍ୱପ୍ନ ଦେଖିବା ଏବଂ ତାରକାମାନଙ୍କ ନିକଟରେ ପହଞ୍ଚିବା ପାଇଁ ସ୍ୱାଧୀନତା ଦେଇଥିଲେ, ଯାହା ସମଗ୍ର ବିଶ୍ୱରେ ଭାରତକୁ ଗୌରବାନୱିତ କରିଥିଲା ଏବଂ ଅନ୍ୟ ଝିଅ ମାନଙ୍କ ପାଇଁ ପ୍ରେରଣା ପାଲଟିଥିଲା।

ସୂଚନା ଯୋଗ୍ୟ, କଳ୍ପନା ଚାୱଲା ଥିଲେ ଜଣେ ଆମେରିକା ଅନ୍ତରୀକ୍ଷ ଯାତ୍ରୀ ତଥା ଇଂଜିନିୟର । ଏବଂ ପ୍ରଥମ ଭାରତୀୟ ମହିଳା ମହାକାଶ ଯାତ୍ରୀ ଭାବେ ସେ ମହାକାଶ ଯାତ୍ରା କରିଥିଲେ । ୧୯୯୭ରେ ନାସା ପକ୍ଷରୁ ‘ସ୍ପେଶ୍‌ ସଟଲ୍‌ କଲମ୍ବିଆର’ ମିଶନ୍‌ ସ୍ପେଶାଲିଷ୍ଟ ଭାବେ ପ୍ରଥମ ଉଡାଣରେ ସାମିଲ ହୋଇଥିଲେ । ୧୯୬୨ ମସିହା ମାର୍ଚ୍ଚ ୧୭ତାରିଖରେ କଳ୍ପନା ହରିୟାଣାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମା’ଙ୍କ ନାମ ସଂୟୋତି ଚାୱଲା ଓ ବାପାଙ୍କ ନାମ ବନାରସୀ ଲାଲ ଚାୱଲା । ସେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ହରିୟାଣାର ଟାଗୋର ପବ୍ଲିକ ସ୍କୁଲରେ ସମାପ୍ତ କରିଥିଲେ ।

ପଂଜାବ ଇଂଜିନିୟରି କଲେଜରୁ ବ୍ୟାଚଲର ଡିଗ୍ରୀ ହାସଲ କରିବା ପରେ ୧୯୮୨ରେ ଆମେରିକା ଚାଲିଯାଇଥିଲେ । ସେଠାରେ ଏରୋସ୍ପେସ୍‌ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ କରିଥିଲେ । ଏହାପରେ ୧୯୮୬ରେ ସେ ଦ୍ୱିତୀୟ ମାଷ୍ଟର ଡିଗ୍ରୀ ସମାପ୍ତ କରିବା ପରେ ୧୯୮୮ରେ ଏରୋସ୍ପେସ୍‌ ଇଂଜିନିୟରିଂରେ ପିଏଚଡି ସମାପ୍ତ କରିଥିଲେ । ୧୯୮୮ରେ ସେ ନାସା ରିସର୍ଚ୍ଚ ସେଣ୍ଟରରେ ଯୋଗ ଦେଇଥିଲେ। ୧୯୯୭ ନଭେମ୍ବର ୯ରେ ସେ ପ୍ରଥମ ମହାକାଶ ଯାତ୍ରା ଆରମ୍ଭ କରିଥିଲେ । ୧୬ ଜାନୁୟାରୀ ୨୦୦୩ରେ ସେ ତାଙ୍କ ଦ୍ୱିତୀୟ ମିଶନ ସମୟରେ, ସ୍ପେସ ସଟଲ କଲମ୍ବିଆ ଏସଟିଏସ-୧୦୭ ରେ ମହାକାଶକୁ ଯାଇଥିଲେ। ୧୬ ଦିନିଆ ମିଶନ ସମୟରେ, କର୍ମଚାରୀମାନେ ୮୦ ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ କରିଥିଲେ। ସେଇଠୁ ଫେରିବା ସମୟରେ ମହାକାଶଯାନ ପୃଥିବୀର ବାୟୁମଣ୍ଡଳକୁ ପୁନର୍ବାର ପ୍ରବେଶ କରିବା ପରେ ବିଘଟିତ ହୋଇ ଯାଇଥିଲା। ଫଳରେ ଏଥିରେ ଥିବା ସମସ୍ତ ୭ଜଣ ମହାକାଶଚାରୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଏହି ଦୁଃସାହସିକ ଯାତ୍ରା ପାଇଁ ତାଙ୍କୁ ସ୍ପେସ ମେଡାଲ ସମ୍ମାନ ପ୍ରଦାନ କରାଯାଇଥିଲା । ଝିଅ କଳ୍ପନାଙ୍କ ମୃତ୍ୟୁ ପରେ ବାପା ବନାରସୀ ଲାଲ ଚାୱଲାଙ୍କର ଏକ ବୟାନକୁ ନେଇ ଖୁବ ଚର୍ଚ୍ଚା ଓ ଗର୍ବ କରାଯାଇଥିଲା, ସେ କହିଥିଲେ ଯେ ତାଙ୍କ ଝିଅ ଉଡିବାକୁ ଚାହୁଁଥିଲା ତେଣୁ ସେ ତାକୁ ଉଡିବାକୁ ଛାଡିଥିଲେ ।

 

Get real time updates directly on you device, subscribe now.