fbpx

ହକି ଫାଇନାଲରେ ଭାରତ: ଦକ୍ଷିଣ କୋରିଆକୁ ୫-୩ରେ ହରାଇଲା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ଏକାଦଶ ଦିବସ । ଚଳିତ ବର୍ଷ ଭାରତୀୟ କ୍ରୀଡ଼ାବିତମାନେ ସେମାନଙ୍କର ଜୟଯାତ୍ରା ଜାରି ରଖିଛନ୍ତି । ତେବେ ଏହା ମଧ୍ୟରେ ଭାରତୀୟ ପୁରୁଷ ହକି ଟିମ୍ ରୌପ୍ୟ ପଦକ ସୁନିଶ୍ଚିତ କରିଛି । ସେମିଫାଇନାଲରେ ଭାରତ ପ୍ରତିପକ୍ଷ ଦକ୍ଷିଣ କୋରିଆକୁ ୫-୩ ଗୋଲ ବ୍ୟବଧାନରେ ପରାସ୍ତ କରିଛି ।

ଅଧିନାୟକ ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମ କ୍ୱାର୍ଟରରେ କୋରିଆ ବିପକ୍ଷରେ ୩-୦ରେ ଅଗ୍ରଣୀ ରହିଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ କୋରିଆ ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ ଟିମ୍ ଇଣ୍ଡିଆ ପକ୍ଷରୁ ଅମିତ ରୋହିଦାସ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଗୋଲ ସ୍କୋର କରିଥିବା ବେଳେ ଅଭିଶେଷ ପଞ୍ଚମ ଗୋଲ ସ୍କୋର କରି ଭାରତର ବିଜୟକୁ ଅଧିକ ମଜବୁତ କରିଥିଲେ ।

ଗତ ଦୁଇ ତାରିଖରେ ଭାରତ ବାଂଲାଦେଶକୁ ୧୨-୦ ବଡ଼ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଓ ମନଦୀପ ସିଂହ ଉଭୟେ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ । ଏସୀୟ କ୍ରୀଡ଼ାର ପୁଲ-ଏ ପର୍ଯ୍ୟାୟରେ ଶୀର୍ଷରେ ରହି ଭାରତ ସେମିକୁ ଉନ୍ନୀତ ହୋଇଥିଲା । ତା’ ପୂର୍ବରୁ ଭାରତ ଉଜବେକିସ୍ତାନକୁ ୧୬-୦ରେ, ସିଙ୍ଗାପୁରକୁ ୧୬-୧ରେ, ପାକିସ୍ତାନକୁ ୧୦-୨ରେ ଓ ଜାପାନକୁ ୪-୨ରେ ପରାସ୍ତ କରିଥିଲା ।

Get real time updates directly on you device, subscribe now.