fbpx

Ind vs Aus; ପ୍ରଥମ ମ୍ୟାଚରେ ବିରାଟ-ରାହୁଲ ଜଲୱା: ବିଜୟ ସହ ବିଶ୍ୱକପରେ ଭାରତର ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ପୁଣିଥରେ ଟିମ ଇଣ୍ଡିଆ ପାଇଁ ସଙ୍କଟ ମୋଚକ ସାଜିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । କେ.ଏଲ ରାହୁଲଙ୍କ ସହ ମିଶି ଭାରତକୁ ଏକ ସଙ୍କଟରୁ ଉଦ୍ଧାର କରି ବିଜୟ ଭେଟି ଦେଇଛନ୍ତି । ମ୍ୟାଚ ଆରମ୍ଭରୁ ଅଷ୍ଟ୍ରେଲିଆର ଚକ୍ରବ୍ୟୁହରେ ଫସି ରହିଥିବା ଟିମ ଇଣ୍ଡିଆ ପାଇଁ ବିଜୟ ଅସମ୍ଭ ମନେ ହେଉଥିବା ବେଳେ ସହଜ ବିଜୟ ଦେଇଛି ବିରାଟ-ରାହୁଲ ଯୋଡ଼ି । ଏହି ବିଜୟ ସହ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ବିରାଟ କୋହଲି ଏବଂ କେ.ଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆକୁ ପ୍ରଥମ ମ୍ୟାଚରେ ମାତ୍ ଦେଇଛି ରୋହିତ ସେନା ।

ବୋଲିଂ ପରେ ବ୍ୟାଟିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ଭାରତର ବିସ୍ପୋରକ ବ୍ୟାଟରଙ୍କ ଅର୍ଦ୍ଧଶତକ ବଳରେ ରୋହିତ ସେନା ଅଷ୍ଟ୍ରେଲିଆକୁ ଚକମା ଦେଇ ବିଶ୍ୱକପର ବିଜୟ ଅଭିଯାନ ଆରମ୍ଭ କରିଛି । ମ୍ୟାଚର ପ୍ରଥମର ୨ ଓଭର ସୁଦ୍ଧା ଭାରତ ମାତ୍ର ୨ ରନରେ ୩ଟି ୱିକେଟ ହରାଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଶାନ ଏବଂ ଶ୍ରେୟସ ଆୟରଙ୍କ ୱିକେଟ ପରେ ଭାରତର ଟପ୍ ଅର୍ଡର ଏକଦମ୍ ଭୁଷୁଡ଼ି ପଡ଼ିଥିଲା । କିନ୍ତୁ ଏହି ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ଦଳ ପାଇଁ ସଙ୍କଟମୋଚକ ସାଜିଛନ୍ତି କିଙ୍ଗ କୋହଲି ଏବଂ କେ.ଏଲ ରାହୁଲ । ଉଭୟଙ୍କ ଦମଦାର ବ୍ୟାଟିଂ ଏବଂ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ସହଜ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚରେ ଭାରତ ଘଡ଼ିସନ୍ଧି ମୁହୂର୍ତ୍ତରେ ଫସି ରହିଥିବା ବେଳେ ବିରାଟ କୋହଲି ୮୫ ରନ୍ କରି ବିଜୟ ସୁନିଶ୍ଚିତ କରିଥିଲେ । ଏହାପରେ କେ.ଏଲ ରାହୁଲ ୯୭ ରନ୍ ହାସଲ କରି ଭାରତ ପାଇଁ ବିଜୟର ସାରଥୀ ସାଜିଛନ୍ତି । ୪୨ ଓଭରର ଦ୍ୱିତୀୟ ବଲରେ ବିଶାଳ ଛକା ଲଗାଇ ବିଜୟ ନିଜ ନାମରେ କରିଛନ୍ତି କେ.ଏଲ ରାହୁଲ । ଶେଷ ସମୟରେ ଆସି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏକ ସୁନ୍ଦର ଇନିଂସ ଖେଳିଛନ୍ତି । ଏହି ଅର୍ଦ୍ଧଶତକ ବଳରେ ଭାରତ ୮ ଓଭର ପୂର୍ବରୁ ହିଁ ଟାର୍ଗେଟକୁ ହାସଲ କରି ନେଇଛି ।

ତେବେ ଅଷ୍ଟ୍ରେଲିଆ ତରଫରୁ ଷ୍ଟାର ବୋଲର ଜୋସ ହାଜେଲଉଡ ୩ଟି ସଫଳତା ପାଇଥିବା ବେଳେ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଅନ୍ୟ କୌଣସି ବୋଲର ଏହି ମ୍ୟାଚରେ ୱିକେଟ ହାସଲ କରିବାରେ ଅସମର୍ଥ ହୋଇଛନ୍ତି । ତେବେ ଏହି ବିଜୟ ସହ ଭାରତ ବିଶ୍ୱକପ-୨୦୨୩ରେ ଆରମ୍ଭ କରିଛି ନିଜର ବିଜୟ ଅଭିଯାନ । ପ୍ରଥମ ମ୍ୟାଚରେ ବିଜୟ ଭାରତକୁ ଆଗାମୀ ମ୍ୟାଚଗୁଡ଼ିକ ପାଇଁ ଆତ୍ମବିଶ୍ୱାସ ବୃଦ୍ଧି କରିବ । ତେବେ ଦଳର ଟପ୍ ଅର୍ଡରର ଖରାପ ଫର୍ମ ରୋହିତଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ।

Get real time updates directly on you device, subscribe now.