fbpx

BIG NEWS; ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡିଶା ଭାସ୍କର; ଇସ୍ରାଏଲରେ ପ୍ରବେଶ କରିବା ପାଇଁ ହମାସ ଓ ଇସଲାମିକ ଜିହାଦ ଗାଜାରୁ ରକେଟ୍ ମାଡ଼ କରିବା ସହ ସଶସ୍ତ୍ର ଉଗ୍ରବାଦୀମାନେ ଇସ୍ରାଏଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ । ଉଗ୍ରବାଦୀମାନେ ସବୁ ପ୍ରତିବନ୍ଧକ ଭାଙ୍ଗି ଲୋକଙ୍କୁ ଗୁଳି କରି ବନ୍ଧକ କରି ହତ୍ୟା କରିବା ପରେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି ଇସ୍ରାଏଲବାସୀ । ଅନ୍ୟପଟେ ହମାସର ମିସାଇଲ ଆକ୍ରମଣ ପରେ ଶନିବାର ଇସ୍ରାଏଲ ବି ପ୍ରତିଆକ୍ରମଣ ପାଇଁ ଯୁଦ୍ଧ ଘୋଷଣା କରିଛି। ତେବେ ଇସ୍ରାଏଲର ଏହି ଯୁଦ୍ଧ ଘୋଷଣା ପରେ ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଘନ ଘନ ବୋମା ମାଡ଼ ସାଙ୍ଗକୁ ରକେଟ ମିସାଇଲ ଆକ୍ରମଣରେ ଅନେକ ଜଣକ ଧନଜୀବନ ଚାଲିଗଲାଣି ।

ସେପଟେ ଯୁଦ୍ଧ ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ବର୍ତ୍ତମାନ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗାଲାଣ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଥାଉକି, ଗାଜା ଷ୍ଟ୍ରିପ ଉପରେ ହମାସର ଶାସନ ରହିଛି। ଦୁଇ ଦିନ ପୂର୍ବରୁ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ହୋଇଥିବା ଆକ୍ରମଣରେ ଶତାଧିକ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଛି। ଯାହାକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ମୁଁ ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ ନିର୍ଦ୍ଦେଶ ଦେଇଛି। ଗାଜାକୁ ବିଦ୍ୟୁତ୍‌, ଖାଦ୍ୟ କିମ୍ବା ଇନ୍ଧନ ଯୋଗାଇ ଦିଆଯିବ ନାହିଁ। ଆମେ ଆତଙ୍କବାଦୀଙ୍କ ସହ ଲଢୁଛୁ ଏବଂ ତାଙ୍କ ହିସାବରେ ଜବାବ ଦେବୁ ବୋଲି ଗାଲାଣ୍ଟ ଏକ ବିବୃତ୍ତିରେ କହିଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ପରିସ୍ଥିତିରେ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.