fbpx

ଧମକ ପରେ ବଢ଼ିଲା ଶାହାରୁଖ ଖାନଙ୍କ ସୁରକ୍ଷା ବ୍ୟବସ୍ଥା, Y+ ସୁରକ୍ଷା ଯୋଗାଇ ଦେବାକୁ ସରକାରଙ୍କ ନିଷ୍ପତି

ମୁମ୍ବାଇ: ଶାହାରୁଖ ଖାନ ଏବଂ ନୟନତାରା ଅଭିନୀତ ଫିଲ୍ମ “ଜୱାନ’ ରିିଲିଜ ହେବା ଆଜକୁ ପ୍ରାୟ ୧ ମାସରୁ ଉର୍ଦ୍ଧ ଦିନ ହୋଇଗଲାଣି । କିନ୍ତୁ ଫିଲ୍ମଟି ଏବେ ବି ସାରା ବିଶ୍ୱରେ ବ୍ୟବସାୟ କରିବାରେ ଲାଗିଛି । ଏହି ଫିଲ୍ମଟି ଏବେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । କିଙ୍ଗ୍ ଖାନଙ୍କର ଦମଦାର ଆକ୍ସନକୁ ଦେଖିବା ପାଇଁ ଦର୍ଶକ ଫୁଲ୍ କ୍ରେଜରେ ରହିଛନ୍ତି । ସେହିପରି ନିକଟରେ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଆଉ ଏକ ଅଭିନୀତ ଫିଲ୍ମ “ପଠାନ”କୁ ନେଇ ମଧ୍ୟ ଏବେ ବି କ୍ରେଜ ଲାଗି ରହିଛି ।

ତେବେ ସେପଟେ ଏହି ଦୁଇ ସିନେମାକୁ ନେଇ ଶାହାରୁଖ ଖାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଶାହାରୁଖ ଖାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ର ସରକାର ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ବିଭିନ୍ନ ସମୟରେ ଶାହାରୁଖଙ୍କୁ ଧମକ ମିଳୁଥିବାରୁ ମହାରାଷ୍ଟ୍ର ସରକାର ଏହି ନିଷ୍ପତି ନେଇଛନ୍ତି ବୋଲି ଜଣାପଡିଛି । କିନ୍ତୁ ଏନେଇ ମହାରାଷ୍ଟ୍ର ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।

ତେବେ ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶାହାରୁଖ ଖାନ୍ ରାଜ୍ୟ ସରକାରଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଯେ, ପଠାନ୍ ଓ ଜୱାନ୍ ସିନେମା ପରେ ତାଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଉଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି । ଏହି ୱାଇ ପ୍ଲସ ସୁରକ୍ଷା ପାଇବା ପରେ ରାଜ୍ୟରେ କିଙ୍ଗ୍ ଖାନଙ୍କ ଗସ୍ତ ସମୟରେ ୧୧ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିବେ ବୋଲି ସୂଚନା ରହିଛି । ଯେଉଁଥିରେ ୬ ଜଣ କମାଣ୍ଡୋ, ୪ ଜଣ ପୁଲିସ କର୍ମଚାରୀଙ୍କ ସହିତ ଜଣେ ଟ୍ରାଫିକ କ୍ଲିଅରେନ୍ସ ପାଇଁ ରହିବେ । ଏହି ସୁରକ୍ଷାକର୍ମୀ ଶାହାରୁଖଙ୍କ ବାସଭବନ ମନ୍ନତ ବାହାରେ ନିୟୋଜିତ ହୋଇଛନ୍ତି । ତେବେ ଏହି ସୁରକ୍ଷା ଖର୍ଚ୍ଚ ନିଜେ କିଙ୍ଗଖାନ୍ ବହନ କରିବେ ବୋଲି କୁହାଯାଇଛି । ଏଥିପାଇଁ ସେ ରାଜ୍ୟସରକାରଙ୍କୁ ସୁରକ୍ଷା ଖର୍ଚ୍ଚ ଦେବେ।

Get real time updates directly on you device, subscribe now.