fbpx

ହ୍ୱିଲ ଚେୟାରରେ ଇସ୍ରାଏଲ ଆକ୍ରମଣର ମାଷ୍ଟରମାଇଣ୍ଡ, ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ ଓ ଗ୍ଲୋବାଲ ଟେରରିଷ୍ଟ ତାଲିକାରେ ରହିଛି ନାଁ

ନୂଆଦିଲ୍ଲୀ:ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଗତ ୪ ଦିନ ମଧ୍ୟରେ ଇସ୍ରାଏଲରେ ୯୦୦ ସୈନିକ ଓ ନାଗରିକଙ୍କ ଜୀବନ ଗଲାଣି । ୬ ଅକ୍ଟୋବର ସକାଳେ ହମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କରିଦେଇଥିଲା । ଇସ୍ରାଏଲ ଉପରେ ୫୦୦୦ରୁ ଅଧିକ ରକେଟ୍ ମାଡ କରିବା ସହିତ ହମାସର ଆତଙ୍କବାଦୀମାନେ ଇସ୍ରାଏଲ୍ ମଧ୍ୟକୁ ପ୍ରବେଶ କରି ଯାଇଥିଲେ । ତେବେ ଇସ୍ରାଏଲ ଉପରେ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହମାସ ମିଲିଟାରୀ ୱିଙ୍ଗ ମୁଖ୍ୟ ମୋହମ୍ମଦ ଦାଇଫ୍ । ଆକ୍ରମଣର ଠିକ୍ ପରେ ପରେ ଦାଇଫ୍ ଏକ ବିବୃତ୍ତି ଜାରି କରି କହିଥିଲା ଇସ୍ରାଏଲ୍ ଆମ ନାଗରିକଙ୍କ ନରସଂହାର କରିଛି, ସେମାନଙ୍କ ଉପରେ ନାନାଦି ଜୁଲୁମ୍ କରିଛି । ଆମେ ପ୍ରଥମରୁ ଶତ୍ରୁକୁ ଚେତାବନୀ ଦେଇଥିଲୁ । କିନ୍ତୁ ଇସ୍ରାଏଲ ଶୁଣି ନ ଥିଲା । ଏବେ ଆମେ ଆଉ ବରଦାସ୍ତ କରିବୁ ନାହିଁ ।

ମୋହମ୍ମଦ ଦାଇଫ୍ ହମାସର ମିଲିଟାରୀ ୱିଙ୍ଗ କ୍ୱାସମ ବ୍ରିଗେଡ୍‌ର ମୁଖ୍ୟ ଓ ଗତ ୨୧ ବର୍ଷ ଧରି ଏହାର ନେତୃତ୍ୱ ନେଇ ଆସୁଛି । ରିପୋର୍ଟ ଅନୁଯାୟୀ ୟାହା ଆୟାଶଙ୍କ ପରେ ହାମାସ ପକ୍ଷରୁ ଦାଇଫଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ୧୯୯୬ରେ ଆୟାଶଙ୍କୁ ହତ୍ୟା କରାଯାଇଥିଲା ।
ଦାଇଫ୍ ୧୯୬୦ରେ ଗାଜାର ଖାନ୍ ୟୁନିସ୍ ଶରଣାର୍ଥୀ କ୍ୟାମ୍ପରେ ଜନ୍ମଗ୍ରହଣ କରିଥିଲା । ଦାଇଫ୍ ଇସଲାମିକ୍ ୟୁନିଭରସିଟି ଅଫ୍ ଗାଜାରୁ ସ୍ନାତକ ଡିଗ୍ରୀ ହାସଲ କରିଛି । ଏହି ସମୟରେ ଗାଜା ମିଶର ଅଧୀନରେ ଥିଲା । କିନ୍ତୁ ୧୯୬୭ରେ ଇସ୍ରାଏଲ ଓ ଆରବ ରାଷ୍ଟ୍ରଗୁଡିକ ମଧ୍ୟରେ ଯୁଦ୍ଧ ପରେ ଗାଜା ଇସ୍ରାଏଲ୍ ଅଧୀନକୁ ଆସିଯାଇଥିଲା । ତେବେ ଦାଇଫ୍ ଗାଜା ୟୁନିଭରସିଟିରେ ପଢିବା ସମୟରୁ ହମାସ ସଂସ୍ପର୍ଶରେ ଆସିଥିଲା । ଏହି ସମୟରେ ଅଧିକାଂଶ ପାଲେଷ୍ଟାନୀୟ ଯୁବକ ଇସ୍ରାଏଲ ବିରୋଧୀ ହୋଇ ଉଠିଥିଲେ । ୧୯୯୩ରେ ଦାଇଫ୍ ହମାସ ସଂଗଠନରେ ନିଜକୁ ସାମିଲ କରିଥିଲା ଓ ଏହାପରେ ଧରାପଡି ଥରେ ଜେଲ୍ ଯାଇଥିଲା । କିନ୍ତୁ ଏହାପରେ ସେ ଆଉ କେବେ ଇସ୍ରାଏଲ ହାତରେ ଧରା ପଡି ନ ଥିଲା ।

ଇସ୍ରାଏଲର ଏହି ନମ୍ବର ୱାନ ଶତ୍ରୁ ଜଣେ ଦିବ୍ୟାଙ୍ଗ । ୨୦ ବର୍ଷ ତଳେ ଇସ୍ରାଏଲର ଏକ ଏୟାର ଷ୍ଟ୍ରାଇକ୍‌ରେ ତାର ଜୀବନ ଯାଉ ଯାଉ ରକ୍ଷା ହୋଇଯାଇଥିଲା । କିନ୍ତୁ ଏହି ଆକ୍ରମଣରେ ସେ ଗୋଟିଏ ଆଖି, ହାତ ଓ ଗୋଡ ହରାଇ ବସିଥିଲା । ସେବେଠାରୁ ସେ ହ୍ୱିଲ ଚେୟାରରେ ହମାସ ଗ୍ରୁପ୍‌କୁ ନିୟନ୍ତ୍ରଣ କରିଆସୁଛି । ଇସ୍ରାଏଲର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିବା ସହିତ ଦାଇଫ୍ ଗ୍ଲୋବାଲ ଟେରରିଷ୍ଟ ତାଲିକାରେ ମଧ୍ୟ ରହିଛି ।

Get real time updates directly on you device, subscribe now.