fbpx

ପଠାନକୋଟ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ରଶିଦ ଲତିଫ ଗୁଳିମାଡ଼ରେ ମୃତ

ନୂଆଦିଲ୍ଲୀ: ପଠାନକୋଟ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ରଶିଦ ଲତିଫକୁ ଗୁଳିକରି ହତ୍ୟା କରାଯାଇଛି । ଭାରତର ପାଇଁ ମୋଷ୍ଟୱାଣ୍ଡେଡ ଥିବା ଏହି ଆତଙ୍କବାଦୀକୁ ପାକିସ୍ତାନରେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଜାତୀୟ ତଦନ୍ତକାରୀ ସଂସ୍ଥା (ନିଆ) ପକ୍ଷରୁ ଲତିଫ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଆଧାରରେ ମାମଲା ଦାୟର କରାଯାଇଥିଲା । ସେ ଭାରତ ସରକାରଙ୍କର ଏକ ଲିଷ୍ଟେଡ ଆତଙ୍କବାଦୀ ରହିଥିଲା ।

ଗତ ୨୦୧୬ ମସିହାରେ ପଞ୍ଜାବର ପଠାନକୋଟ ସ୍ଥିତ ଏୟାରବେସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଉକ୍ତ ଆକ୍ରମଣ କରିଥିଲା । ସେହି ଆକ୍ରମଣରେ ଭାରତର ୭ ଜଣ ଯବାନ ସହିଦ ହୋଇଥିଲେ । ପଠାନକୋଟ ଏୟାରଫୋର୍ସ ଷ୍ଟେସନ ଭାରତର ସୀମା ନିକଟରେ ରହିଥିବା ବେଳେ ସେଠାରେ ବଡ଼ ବଡ଼ ହତିଆର ରଖାଯାଇଥାଏ । ଏପରିକି ଯୁଦ୍ଧ ସ୍ଥିତି ଉପୁଜିଲେ ସେଠାରେ ପୂରା ରଣନୀତି ନିର୍ଦ୍ଧାରଣ କରାଯାଇଥାଏ । ୧୯୬୫ ଓ ୧୯୭୧ ଯୁଦ୍ଧ ସମୟରେ ଉକ୍ତ ଏୟାରବେସ ଏକ ବଡ଼ ଭୂମିକା ନିର୍ବାହ କରିଥିଲା । ମିଗ-୨୧ ଯୁଦ୍ଧ ବିମାନ ପାଇଁ ଉକ୍ତ ଷ୍ଟେସନ ପ୍ରସ୍ତୁତ କରାଯାଇଛି ।

ରଶିଦ ପୂର୍ବରୁ ପାକିସ୍ତାନରେ ଅନେକ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି । ଜମ୍ମୁ କଶ୍ମୀରର କୁପବାଡ଼ା ଜିଲ୍ଲାରେ ରହୁଥିବା ବସୀର ଅହମଦ ପୀର ଓରଫ ଇମତିଆଜ ଆଲମକୁ ପାକିସ୍ତାନରେ କିଛି ଅଜ୍ଞାତ ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ ହିଜବୁଲ ମୁଜାହୁଦ୍ଦିନର ଲଞ୍ଚିଂ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ବଶୀର । ଗତବର୍ଷ ଭାରତ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିଲେ । ସେ ରାୱଲପିଣ୍ଡିରେ ରହି ଜମ୍ମୁ କଶ୍ମୀରରେ ବେଆଇନ ଭାବେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରିଆସୁଥିଲା । ସେହିପରି ଗତ ବର୍ଷ ଫେବୃଆରୀ ୨୨ରେ ଏଜାଜ ଅହମଦ ଅହଙ୍ଗରକୁ କାବୁଲରେ ହତ୍ୟା କରାଯାଇଥିଲା । ଗତବର୍ଷ ଫେବୃଆରୀରେ ୨୬ରେ ଅଲ ବଦ୍ରର ପୂର୍ବ କମାଣ୍ଡର ସୟଦ ଖାଲିଦ ରଜାକୁ ପାକିସ୍ତାନରେ ଗୁଳି କରି ହତ୍ୟା କରାଯାଇଥିଲା । ଗତବର୍ଷ ମାର୍ଚ୍ଚ ୩ରେ ସୟଦ ନୂର ଶାଲୋବରକୁ ପାକିସ୍ତାନରେ ହତ୍ୟା କରାଯାଇଥିଲା । ପାକିସ୍ତାନ ଅଧିକୃତ କଶ୍ମୀରର ରାଜଧାନୀ ମୁଜାଫରବାଦ ଠାରୁ ୧୩୦ କିମି ଦୂର ରାବଲକୋଟରେ ଏକ ମସଜିଦରେ ନମାଜ ପଢ଼ୁଥିବା ସମୟରେ ଆତଙ୍କବାଦୀ ମହମ୍ମଦ ରିୟାଜକୁ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.