fbpx

(Video) ଭେଟ ହୋଇଗଲେ ନବୀନ-ବିରାଟ… ଆଉ ତା’ପରେ ଘଟିଗଲା କିଛି ଏପରି: କମେଣ୍ଟ୍ରି ବକ୍ସରେ ଗମ୍ଭୀର ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ରୋହିତଙ୍କ ଶତକ ସହ ବିରାଟଙ୍କ ଅର୍ଦ୍ଧଶତକ ଓ ବୁମରାହଙ୍କ ବୋଲିଂ ଭାରତକୁ ଏହି ବୃହତ ବିଜୟ ଭେଟି ଦେଇଛି । ତେବେ ଭାରତ ବନାମ ଆଫଗାନିସ୍ତାନ ଏହି ମ୍ୟାଚରେ ସବୁଠାରୁ ଅଦିକ ଚର୍ଚ୍ଚାର ବିଷୟ ଥିଲା ବିରାଟ କୋହଲି ବନାମ ନବୀନ ଉଲ୍ ହକ୍ ଲଢେଇ । ୬ ମାସ ତଳେ ଆରମ୍ଭ ହୋଇଥିବା ବିବାଦ ପରେ ଆଜି ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ ଉଭୟ ଖେଳାଳି । ତେଣୁ ମାମଲା ସରଗରମ ହେବ ବୋଲି ଆଶା କରୁଥିଲେ କ୍ରିକେଟପ୍ରେମୀ ।

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବିରାଟ କୋହଲିଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳିଛି । ଟ୍ରୋଲ କରୁଥିବା ଖେଳାଳିମାନଙ୍କୁ ସେମାନଙ୍କ ଷ୍ଟାଇଲରେ ଉତ୍ତର ଦେଉଥିବା ବିରାଟ ଆଜି ଶାନ୍ତ ମିଜାଜରେ ଦେଖା ଦେଇଛନ୍ତି । ଆଇପିଏଲ-୨୦୨୩ର ନବୀନ ଉଲ ହକଙ୍କ ବିପକ୍ଷରେ ହୋଇଥିବା ସବୁଠୁ ଗରମ ମାମଲା ଆଜି ଫିକା ପଡ଼ିଯାଇଛି । ଆଇପିଏଲର ଏହି ଲଢେଇ ଆଜିର ମ୍ୟାଚରେ ମଧ୍ୟ ଦେଖିବାକୁ ମିଳିବ ବୋଲି ଲୋକେ ଆଶା କରୁଥିଲେ । କିନ୍ତୁ ବିରାଟ କୋହଲି ଏହାର ସମ୍ପୂର୍ଣ୍ଣ ଓଲଟା କାର୍ଯ୍ୟ କରି ଦେଖାଇଛନ୍ତି । ନବୀନଙ୍କ ସହ ଆଜି ଖେଳାଳି ମନୋଭାବରେ ଭେଟ କରିଛନ୍ତି ବିରାଟ । ଆଜି ପଡ଼ିଆରେ ନବୀନ ଏବଂ ବିରାଟ ଭେଟ ହୋଇଥିବା ବେଳେ କମେଣ୍ଟ୍ରି ବକ୍ସରେ ଥିଲେ ଆଇପିଏଲରେ ନବୀନଙ୍କ ମେଣ୍ଟର ଗୌତମ ଗମ୍ଭୀର । ତେବେ ଏହି ସମୟରେ ବିରାଟ ଏବଂ ନବୀନ କୋଳାକୋଳି ହେବା ସହ ହସି ହସି କଥା ହେଉଥିବାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ସମୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ନବୀନଙ୍କୁ ଖୁବ ଟ୍ରୋଲ କରୁଥିଲେ ଦର୍ଶକ । ଏହା ଦେଖି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର କିଙ୍ଗ କୋହଲି ଦର୍ଶକଙ୍କୁ ଏପରି ନ କରିବାକୁ ଅନୁରୋଧ କରିଥିଲେ । କୋହଲି ନବୀନଙ୍କ ବିପକ୍ଷରେ ଅଧିକ ରନ୍ ସ୍କୋର କରିନଥିଲେ ମଧ୍ୟ ନବୀନ ମଧ୍ୟ କୋହଲିଙ୍କୁ ଆଉଟ୍ କରିପାରିନଥିଲେ। ଏପରିକି ଏହି ସମୟ ମଧ୍ୟରେ କୋହଲିଙ୍କ ନାମରେ ସ୍ଲୋଗାନ ଜାରି ରହିଥିଲା। କୋହଲି ତାଙ୍କ ଦିଲ୍ଲୀ ପ୍ରଶଂସକଙ୍କୁ ହାତ ହଲାଇ ନବୀନଙ୍କ ସାମ୍ନାରେ ସ୍ଲୋଗାନ ଦେବା ବନ୍ଦ କରିବାକୁ ସଙ୍କେତ ଦେଇଥିଲେ ଏବଂ ପ୍ରଶଂସକମାନେ ମଧ୍ୟ ଏହାକୁ ମାନି ନବୀନଙ୍କୁ ଟ୍ରୋଲ କରିବା ବନ୍ଦ କରି ଦେଇଛନ୍ତି । ଗମ୍ଭୀର ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଭାରତୀୟ ଇନିଂସର ୨୬ ତମ ଓଭରରେ ଉଭୟ ଖେଳାଳି ମୁହାଁମୁହିଁ ହୋଇଥିଲେ କିନ୍ତୁ ଏଥର କୌଣସି ପ୍ରକାରର କ୍ରୋଧ କିମ୍ବା ବିରକ୍ତି ନଥିଲା। ଉଭୟ ଖେଳାଳି ହସି ହସି ପରସ୍ପର ସହ କଥା ହୋଇଥିଲେ ଏବଂ ପରସ୍ପରକୁ ଆଲିଙ୍ଗନ କରି ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ତେବେ କୋହଲିଙ୍କ ପରି ଆଗ୍ରେସିଭ ଖେଳାଳି ଏତେ ବଡ଼ ବିବାଦକୁ ସାମାନ୍ୟ ହସରେ ଶେଷ କରି ଦେବେ ବୋଲି କେହି ବିଶ୍ୱାସ କରି ନଥିଲେ । ନବୀନଙ୍କ ସହ ମାମଲା ଆଗକୁ ବଢିବ ବୋଲି ଆଶା ରହିଥିଲେ ହେଁ ମ୍ୟାଚରେ ଏଭଳି କିଛି ଘଟିନାହିଁ ।

Get real time updates directly on you device, subscribe now.