fbpx

ବିଭିନ୍ନ ଟେକ୍ କମ୍ପାନୀରେ ଜାରି ରହିଛି ଛଟେଇ ପ୍ରକ୍ରିୟା, ଗତ ୨ ବର୍ଷ ମଧ୍ୟରେ ପ୍ରତିଦିନ ୫୫୫ ଜଣ ଓ ପ୍ରତି ଘଣ୍ଟାରେ ୨୩ ଜଣ ଚାକିରି ହରାଇଛନ୍ତି

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଟେକ୍‌ନିକାଲ କମ୍ପାନୀ (ଷ୍ଟାର୍ଟଅପ୍ ସହିତ) ଗତ ୨ ବର୍ଷ ମଧ୍ୟରେ ୪ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି । ଏହି ଏକା ସମୟ ମଧ୍ୟରେ ଭାରତର ୧୧୦ ଷ୍ଟାର୍ଟଅପ୍‌ରେ ୩୦,୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ବିଶ୍ୱର ଅର୍ଥନୈତିକ ପରିସ୍ଥିତି ମାନ୍ଦା ଥିବାରୁ ବୃହତ୍ ଟେକ୍ ଫାର୍ମ ଓ ଷ୍ଟାର୍ଟଅପ୍ ଗୁଡିକ ଏତେ ସଂଖ୍ୟାରେ କର୍ମଚାରୀଙ୍କ ଛଟେଇ କରିଛନ୍ତି ।

layoff.fyi ନାମକ ଏକ ୱେବସାଇଟର ତାଜା ରିପୋର୍ଟ ଅନୁଯାୟୀ ବିଶ୍ୱର ୨,୧୨୦ ଟେକ୍ କମ୍ପାନୀ ମୋଟ ୪୦୪,୯୬୨ କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏହି ରିପୋର୍ଟ ଅନୁଯାୟୀ ୨୦୨୨ରେ ୧୦୬୧ ଟେକ୍ କମ୍ପାନୀ ୧,୬୪,୭୬୯ କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ୨୦୨୩ରେ ଅକ୍ଟୋବର ସୁଦ୍ଧା ୨୪୦,୧୯୩ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

ହାରାହାରି ଭାବରେ ଦେଖିଲେ ଗତ ୨ ବର୍ଷ ମଧ୍ୟରେ ପ୍ରତିଦିନ ୫୫୫ ଜଣ କର୍ମଚାରୀ ଓ ପ୍ରତି ଘଣ୍ଟାରେ ୨୩ ଜଣ ଚାକିରି ହରାଇଛନ୍ତି । ଏହି ତଥ୍ୟ ଅନୁଯାୟୀ କେବଳ ଗତ ମାସରେ ୪,୬୩୨ ଜଣ ଚାକିରୀ ହରାଇଛନ୍ତି ।

ତେବେ ଟେକନିକାଲ କ୍ଷେତ୍ରରେ ବିଭାଗ ଦୃଷ୍ଟିରୁ ଦେଖିଲେ ରିଟେଲ୍ ଟେକ୍ ଓ କନଜ୍ୟୁମର ଟେକ୍ କ୍ଷେତ୍ରରେ ବେଶୀ କର୍ମଚାରୀ ଚାକିରି ହରାଇଛନ୍ତି । ଏହି ଦୁଇ କ୍ଷେତ୍ରରେ ଯଥାକ୍ରମେ ୨୯,୧୬୧ ଓ ୨୮,୮୭୩ ଜଣ ଚାକିରୀ ହରାଇଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ୨୦୨୩ ଶେଷ ସୁଦ୍ଧା ଏହି ଆକଳନ ଆହୁରି ବୃଦ୍ଧି ପାଇପାରେ ।

ଚିପ୍ ନିର୍ମାତା କ୍ଲାଲକମ୍ ଇତିମଧ୍ୟରେ ଘୋଷଣା କରିଛି ଯେ, ଏହା କାଲିଫର୍ଣ୍ଣିଆରେ ଥିବା ଏହାର ୨ ଗୋଟି କାର୍ଯ୍ୟାଳୟରେ ୧୨୫୮ ଜଣଙ୍କୁ ଛଟେଇ କରିବ । ସେହିପରି ଆମେରିକାସ୍ଥିତ ଟେକ୍ ଫାର୍ମ ଚାଇନାଲିସିସ୍‌, ପ୍ଲେକ୍ସ, ସିସ୍‌କୋ, ପାଏ ଇନସ୍ୟୁରାନ୍ସ ଓ ଅନ୍ୟାନ୍ୟ କମ୍ପାନୀ ଚଳିତ ମାସରେ ସହସ୍ରାଧିକ କର୍ମଚାରୀଙ୍କୁ ଛଟେଇ କରିଛି । ସେହିପରି ଗତ ମାସରେ ଫୋର୍ଟନାଇଟ୍ ଗେମ୍ ଡେଭଲପର ଏପିକ୍ ଗେମ୍‌ସ୍ ଏହାର ୧୬% କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଛି । ଗତ କିଛି ମାସ ମଧ୍ୟରେ ଆସେଣ୍ଡାଣ୍ଟ ଷ୍ଟୁଡିଓ, ବିମଡଗ୍‌, କ୍ରିଷ୍ଟାଲ ଡାଇନାମିକ୍ସ, ନଟୀ ଡଗ୍ ପରି କମ୍ପାନୀ ବହୁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରିଛି ।
ସେହିପରି ଭାରତରେ ମୁଖ୍ୟ ଏଜୁକେସନ ଟେକ୍ନୋଲଜି କ୍ଷେତ୍ର Byju’s ପ୍ରାୟ ୪୦୦୦ରୁ ୫୦୦୦ କର୍ମଚାରୀଙ୍‌କୁ ଛଟେଇ କରିବା ନେଇ ଘୋଷଣା କରିସାରିଛି । ଗତ ୨ ବର୍ଷ ମଧ୍ୟରେ ଏହି ଷ୍ଟାର୍ଟଅପ୍ ୧୦,୦୦୦ ଜବ୍ କମାଇ ସାରିଛି । ସେହିପରି ହୋମ୍‌ଗ୍ରାଉନ କ୍ୱିକ୍ ଗ୍ରୋସରୀ ଡେଲିଭରୀ ପ୍ରୋଭାଇଡର ଡୁଞ୍ଜୋ ଆର୍ଥିକ ପରିସ୍ଥିତି କାରଣରୁ ଗତ ସେପ୍ଟେମ୍ବର ମାସରେ ୧୫୦ରୁ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି । ଏହାପୂର୍ବରୁ ଏହି ଷ୍ଟାର୍ଟଅପ୍ ଚଳିତ ବର୍ଷ ୨ ଟି ପର୍ଯ୍ୟାୟରେ ୪୦୦ କର୍ମଚାରୀଙ୍କୁ ଛଟେଇ କରିଛି ।

Get real time updates directly on you device, subscribe now.