fbpx

ବିନା ସୂଚନାରେ ପତି ବି କରିପାରିବେନି ପତ୍ନୀଙ୍କ ଫୋନ୍ କଲ୍ ରେକର୍ଡ, ଏପରି ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ

ନୂଆଦିଲ୍ଲୀ: ଛତିଶଗଡ ହାଇକୋର୍ଟ ଏକ ମାମଲାର ଶୁଣାଣୀ କରି କହିଛନ୍ତି ପତି ପତ୍ନୀଙ୍କୁ କୌଣସି ସୂଚନା ନ ଦେଇ ଯଦି ତାଙ୍କ ଫୋନ୍ ରେକର୍ଡ କରୁଛି ତେବେ ଏହା ଆର୍ଟିକିଲ ୨୧ର ଉଲଙ୍ଘନ ଅଟେ । ଏହି କ୍ରମରେ ହାଇକୋର୍ଟ ଏକ ଫ୍ୟାମିଲି କୋର୍ଟର ଆଦେଶକୁ ରଦ୍ଦ କରି ଦେଇଛନ୍ତି ଓ କହିଛନ୍ତି କୌଣସି ବି ମୋବାଇଲରେ ହେଉଥିବା କଥାବାର୍ତ୍ତାକୁ ବ୍ୟକ୍ତିର ବିନା ଅନୁମତିରେ ରେକର୍ଡ କରିବା ଅନ୍ୟର ବ୍ୟକ୍ତିଗତ ସ୍ୱାଧୀନତାର ଉଲଙ୍ଘନ ଅଟେ । କୋର୍ଟ କହିଛନ୍ତି ଏହା ସମ୍ବିଧାନର ୨୧ ଅନୁଚ୍ଛେଦର ଉଲଙ୍ଘନ ଅଟେ ।

ହାଇକୋର୍ଟ ଜଣେ ମହିଳାଙ୍କ ଯାଚିକା ଉପରେ ଶୁଣାଣୀ କରିବା ସମୟରେ ଏପରି କହିଛନ୍ତି । ମହିଳା ଜଣକ କହିଛନ୍ତି ଫ୍ୟାମିଲି କୋର୍ଟର ଆଦେଶ ପରେ ବି ତାଙ୍କ ସ୍ୱାମୀ ତାଙ୍କୁ ଭରଣ ପୋଷଣ ଦେବାକୁ ମନା କରି ଦେଇଥିଲେ । ଛତିଶଗଡର ମହାସମୁନ୍ଦ ଜିଲ୍ଲାର ଫ୍ୟାମିଲି କୋର୍ଟ ମହିଳାଙ୍କ ମାମଲାରେ ରାୟ ଶୁଣାଇଥିଲେ ।

ପତି ଦାବୀ କରିଥିଲେ ମାମଲାର ପୁନଃ ଯାଞ୍ଚ କରାଯାଉ ବୋଲି । ସେ କହିଥିଲେ ତାଙ୍କ ପାଖରେ ପତ୍ନୀଙ୍କ ସହ ହୋଇଥିବା କଥାବାର୍ତ୍ତାର ସମସ୍ତ ରେକର୍ଡିଂ ଅଛି ଓ ସେ ଚାହୁଁଛନ୍ତି ତାହା କୋର୍ଟ ଶୁଣୁ । ୨୧ ଅକ୍ଟୋବର ୨୦୨୧ରେ ଫ୍ୟାମିଲି କୋର୍ଟ ପତିଙ୍କୁ ରେକର୍ଡିଂ ଉପସ୍ଥାପନ କରିବାକୁ ଅନୁମତି ଦେଇଥିଲା । ଏହାପରେ ମହିଳା ୨୦୨୨ରେ ହାଇକୋର୍ଟର ଦ୍ୱାରସ୍ଥ ହୋଇ ଫ୍ୟାମିଲି କୋର୍ଟର ଏହି ଆଦେଶକୁ ଆହ୍ୱାନ କରିଥିଲେ । ପତି ରେକର୍ଡିଂ ଶୁଣାଇ ଏହା ସାବ୍ୟସ୍ତ କରିବାକୁ ଚାହୁଁଥିଲେ କି ତାଙ୍କ ପତ୍ନୀ ବ୍ୟଭିଚାର କରିଛନ୍ତି । ତାଙ୍କର ଆଉ କାହା ସହ ଅବୈଧ ସଂପର୍କ ରହିଥିବାରୁ ତଲାକ ପରେ ଭରଣ ପୋଷଣ ଦେବାର ଆବଶ୍ୟକତା ନାହିଁ ବୋଲି ପତି ଦାବୀ କରୁଛନ୍ତି ।

ଏହି ମାମଲାର ଶୁଣାଣୀ ସମୟରେ ମହିଳାଙ୍କ ଓକିଲ କହିଥିଲେ ଯାଚିକାକର୍ତ୍ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ଉଲଙ୍ଘନ କରାଯାଇଛି । ମହିଳାଙ୍କୁ ନ ଜଣାଇ ତାଙ୍କ ପତି ତାଙ୍କ କଲ୍‌ର ରେକର୍ଡିଂ କରିଛନ୍ତି ଓ ଏବେ ତାହାକୁ ତାଙ୍କ ବିରୁଦ୍ଧରେ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ହାଇକୋର୍ଟ ଏହି ମାମଲାରେ ମହିଳାଙ୍କ ସପକ୍ଷରେ ରାୟ ଦେବା ସହ ତାଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ଉଲଙ୍ଘନ ହୋଇଛି ବୋଲି କହିଛନ୍ତି ।

Get real time updates directly on you device, subscribe now.