fbpx

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ: ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ ବୈଠକ ବସିବ । ଏହି ବୈଠକରେ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଦଶହରା, ଦିପାବଳୀ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିପାରେ । ବୈଠକରେ ୪ ପ୍ରତିଶତ ଡିଏ ବୃଦ୍ଧିକୁ ମଞ୍ଜୁରୀ ମିଳିପାରେ । ଯଦି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନିଅନ୍ତି ତା’ହେଲେ ହଜାର ହଜାର କର୍ମଚାରୀଙ୍କର ଡିଏ ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ଚିଯିବ ।

ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୪୨ ପ୍ରତିଶତ ଡିଏ ମିଳୁଥିବା ବେଳେ ଗତ ଜୁଲାଇ ପହିଲାରୁ ନୂଆ ଡିଏ ବୃଦ୍ଧି ପ୍ରଭାବୀ ହୋଇପାରେ । ଫଳରେ କର୍ମଚାରୀମାନେ ଆସନ୍ତା ନଭେମ୍ବର ମାସରେ ପାଇବାକୁ ଥିବା ବେତନ ସହିତ ଡିଏ ମିଶିକରି ଆକାଉଣ୍ଟକୁ ଆସିବ । ଏଥିସହିତ ଜୁଲାଇ ମାସଠାରୁ ଅକ୍ଟୋବର ପର୍ଯ୍ୟନ୍ତ ବାକି ଥିବା ଅର୍ଥ ମିଳିବ । କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଫଳରେ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଫାଇଦା ମିଳିବ ।

ଦେଶରେ ବର୍ଦ୍ଧିତ ମହଙ୍ଗା ଭତ୍ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ବର୍ଷକୁ ଦୁଇଥର ଡିଏ ବୃଦ୍ଧି ଘୋଷଣା କରିଥାନ୍ତି । ବର୍ତ୍ତମାନ ସର୍ବନିମ୍ନ ବେତନ ୧୮ ହଜାର ରହିଥିବା ବେଳେ ୪୨ ପ୍ରତିଶତ ଡିଏ ହିସାବରେ ୭,୫୬୦ ଟଙ୍କା ବୃଦ୍ଧି ହୋଇଥାଏ । ଯଦି ଡିଏ ୪ ପ୍ରତିଶତ ବୃଦ୍ଧି ହୁଏ ତେବେ ୪୬ ପ୍ରତିଶତ ହିସାବରେ ମାସିକ ୮,୨୮୦ ଟଙ୍କା ବୃଦ୍ଧି ହେବ । ଏଥିସହିତ ଯାତ୍ରା ଭତ୍ତା ଉପରେ ମଧ୍ୟ ଡିଏ ମିଳିଥାଏ । ଫଳରେ କର୍ମଚାରୀଙ୍କୁ ୮,୬୪୦ ଟଙ୍କାର ଫାଇଦା ମିଳିଥାଏ । ସେହିପରି ୫୬,୯୦୦ ଟଙ୍କାର ସର୍ବାଧିକ ବେତନ କ୍ଷେତ୍ରରେ ୪୨ ପ୍ରତିଶତ ଡିଏ ହିସାବରେ ମାସିକ ୨୩,୮୯୮ ଟଙ୍କା ମିଳିଥାଏ । ଏପରି ସ୍ଥିତିରେ ୪୬ ପ୍ରତିଶତ ଡିଏ ହିସାବରେ ଏହି ରାଶି ୨୬,୧୭୪ ଟଙ୍କା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.