fbpx

ଚିଲିକାରେ ଚାଲିବ ସୌରଚାଳିତ ବୋଟ୍: ଜଳ, ବାୟୁ ଓ ଶବ୍ଦ ପ୍ରଦୂଷଣ ହ୍ରାସ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଆ ମହାଦେଶର ସବୁଠାରୁ ବଡ଼ ଲବଣାକ୍ତ ହ୍ରଦ ଚିଲିକାକୁ ପ୍ରତିବର୍ଷ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କର ଆଗମନ ହୋଇଥାଏ । ତେବେ ଚିଲିକାରେ ପ୍ରଦୂଷଣ ହ୍ରାସ କରିବା ଓ ଅଙ୍ଗାରକାମ୍ଲ ନିର୍ଗମନକୁ ହ୍ରାସ କରିବା ଲକ୍ଷ୍ୟରେ ସୌରଚାଳିତ ବୋଟ ସୁବିଧା ଆରମ୍ଭ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଚିଲିକାରେ ବିଭିନ୍ନ ପ୍ରଜାତିର ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ରହିଥିବା ବେଳେ ଡିଜେଲ ଚାଳିତ ମୋଟର ବୋଟର ବ୍ୟବହାର ଫଳରେ ବିଭିନ୍ନ ପ୍ରକାରର ପ୍ରଦୂଷଣ ହେଉଥିବା ଦେଖାଯାଉଛି । ଏହି ବୋଟରୁ ନିର୍ଗତ ହେଉଥିବା ତେଲ ହ୍ରଦରେ ମିଶିବା ଫଳରେ ଜଳ, ବାୟୁ ଓ ଶବ୍ଦ ପ୍ରଦୂଷଣ ହେଉଛି । ଫଳରେ ଜଳ ପରିସଂସ୍ଥାରେ ଅସନ୍ତୁଳନ ଦେଖାଯାଉଛି ଓ ବିଦେଶୀ ପକ୍ଷୀଙ୍କର ସଂଖ୍ୟା କମିବାରେ ଲାଗିଛି । ତେଣୁ ଚିଲିକାରେ କିଭଳି ସୌରଚାଳିତ ବୋଟ ଚାଲିବ ସେନେଇ ଓଡ଼ିଶା ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ଓରେଡ଼ା) ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି

ସୌର ଚାଳିତ ବୋଟ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛିକାଂଶରେ ବ୍ୟୟ ସାପେକ୍ଷ ହୋଇଥିବା ବେଳେ ବାର୍ଷିକ ପରିଚାଳନାରେ ଏଥିରେ କମ୍ ଖର୍ଚ୍ଚ ହୋଇଥାଏ । ଏନେଇ ଦେଶର ବିଭିନ୍ନ ରାଜ୍ୟରେ ଚାଲୁଥିବା ସୌରଚାଳିତ ଓ ବ୍ୟାଟେରୀ ଚାଳିତ ବୋଟକୁ ପ୍ରଦର୍ଶିତ କରାଯାଇଥିଲା । ତେଣୁ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟାରମ୍ଭ କରିବାକୁ ଓରେଡା ସ୍ଥିର କରିଛି । ବର୍ତ୍ତମାନ ରହିଥିବା ମାଛଧରା, ପର୍ଯ୍ୟଟକ ଡଙ୍ଗାଗୁଡ଼ିକର ନିର୍ମାଣ ଶୈଳୀରେ ପରିବର୍ତ୍ତନ କରାଯାଇ ତାହାକୁ ସୌରଚାଳିତ ବୈଦ୍ୟୁତିକ ବୋଟରେ ପରିଣତ କରାଯିବ । ଶକ୍ତି ବିଭାଗ, ଓଟିଡିସି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସହଯୋଗରେ ଓରେଡା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.