ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ବୀମା କମ୍ପାନୀ ଏଲ୍ଆଇସି ଦୀର୍ଘଦିନ ଧରି ବନ୍ଦ ହୋଇଯାଇଥିବା ପଲିସିକୁ ଆରମ୍ଭ କରିବା ଲାଗି ଏକ ଅଭିଯାନ ଆରମ୍ଭ କରିଛି । ପ୍ରିମିୟମ ନ ଦେଇଥିବା କାରଣରୁ ବନ୍ଦ ହୋଇ ଯାଇଥିବା ପଲିସିକୁ ପୁନର୍ବାର ଆରମ୍ଭ କରିବା ଓ ପଲିସି ଧାରକଙ୍କୁ ପଲିସିର ପୁରା ଲାଭ ଦେବା ହେଉଛି ଏଲଆଇସିର ଏହି ଯୋଜନାର ଉଦ୍ଦେଶ୍ୟ ।
ଏଲଆଇସିର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ଅଭିଯାନ ୧ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଥିବା ବେଳେ ଏହା ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନ ଜରିଆରେ ଯଦି କୌଣସି ବ୍ୟକ୍ତି ନିଜର ବନ୍ଦ ହୋଇଯାଇଥିବା ଏଲଆଇସି ପଲିସିକୁ ପୁନର୍ବାର ଆରମ୍ଭ କରିବ ତେବେ ତାକୁ ୪,୦୦୦ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ।
ଯଦି କେହି ବ୍ୟକ୍ତି ଏଲଆଇସି ପଲିସିର ପ୍ରିମିୟମ ଠିକ୍ ସମୟରେ ଭରି ନ ଥାଏ ତେବେ ପଲିସିର ନିୟମ ଅନୁସାରେ ଏହା ବନ୍ଦ ହୋଇଯାଇଥାଏ ଯେ ପର୍ଯ୍ୟନ୍ତ ଆପଣ ଏହାକୁ ପୁନର୍ବାର ଆରମ୍ଭ କରିନାହାନ୍ତି । କୌଣସି ବି ବନ୍ଦ ହୋଇଯାଇଥିବା ପଲିସିକୁ ସହଜରେ ବାକି ପ୍ରିମିୟମ ପଇଠ କରି ଚାଲୁ କରାଯାଇପାରିଥାଏ । ଏହା ସହିତ ଆପଣଙ୍କୁ ବାକି ପ୍ରିମିୟମ ଉପରେ ସୁଧ ଓ ନିଜ ସ୍ୱାସ୍ଥ୍ୟ ବିଷୟରେ ବି ସୂଚନା ଦେବାକୁ ହୋଇଥାଏ ।
ତେବେ ଏଲଆଇସିରେ ବନ୍ଦ ହୋଇଯାଇଥିବା ପଲିସିକୁ ପୁଣି ଆରମ୍ଭ କରିବା ଲାଗି ଏହି ଅଭିଯାନ ଜରିଆରେ ଲେଟ୍ ଫି’ ଉପରେ ରିହାତି ପ୍ରଦାନ କରାଯାଉଛି । ଉଦାହରଣ ସ୍ୱରୂପ ଯଦି ଆପଣଙ୍କ ପ୍ରମିୟମରେ ୧ଲକ୍ଷ ପର୍ଯ୍ୟନ୍ତ ବାକି ରହିଛି ତେବେ ଆପଣଙ୍କୁ ବିଳମ୍ବିତ ଫି’ ଉପରେ ୩୦% ଅର୍ଥାତ୍ ୩,୦୦୦ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ।
ଯଦି ଆପଣଙ୍କ ଏଲଆଇସି ପଲିସି ବନ୍ଦ ହୋଇଯାଇଛି ଓ ଏହାକୁ ପୁନର୍ବାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏଲଆଇସି ଏଜେଣ୍ଟ ଓ ଏଲଆଇସି ଶାଖା ସହ ସଂପର୍କ କରନ୍ତୁ । ଏହା ବ୍ୟତିତ ଅଧିକ ସୂଚନା ଲାଗି ଏଲଆଇସିର ଅଫିସିଆଲ ୱେବସାଇଟ ସହ ଯୋଗାଯୋଗ କରନ୍ତୁ ।