fbpx

ଗାଜାର ଯୁଦ୍ଧ ପୀଡିତଙ୍କୁ ସହାୟତାର ହାତ ବଢାଇଲା ଭାରତ, ପଠାଗଲା ମେଡିକାଲ୍ ଓ ରିଲିଫ୍ ସାମଗ୍ରୀ

ନୂଆଦିଲ୍ଲୀ:ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଭାରତ ପକ୍ଷରୁ ଆଜି ଗାଜାକୁ ମେଡିକାଲ୍ ଓ ରିଲିଫ୍ ସାମଗ୍ରୀ ପଠାଯାଇଛି । ଏହି ସାମଗ୍ରୀ ମଧ୍ୟରେ ରହିଛି ଜୀବନରକ୍ଷାକାରୀ ବିଭିନ୍ନ ମେଡିସିନ୍‌, ସର୍ଜିକାଲ ସାମଗ୍ରୀ, ଟେଣ୍ଟ, ତକିଆ, ତାରପଲିନ୍‌, ସାନିଟାରୀ ସାମଗ୍ରୀ, ଜଳ ବିଶୁଦ୍ଧ କରୁଥିବା ଟାବଲେଟ୍ ଓ ଅନ୍ୟାନ୍ୟ ଅତି ଜରୁରୀ ସାମଗ୍ରୀ । ଏ ବିଷୟରେ ବିଦେଶ ମନ୍ତ୍ରଣାଳୟ ମୁଖବକ୍ତା ଅରିନ୍ଦମ ବାଗଚି ‘ଏକ୍ସ’ ରେ ସୂଚନା ଦେଇଛନ୍ତି ।

ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଏହାର ପ୍ରତିବାଦରେ ଇସ୍ରାଏଲ ସେନା ଗାଜାରେ ଆକାଶ ଓ ସ୍ଥଳ ମାର୍ଗରୁ ଜୋରଦାର ଆକ୍ରମଣ ଆରମ୍ଭ କରିଦେଇଥିଲା । ଏଥିରେ ଗାଜାରେ ୧୪୦୦ରୁ ଅଧିକ ସାଧାରଣ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ହମାସ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ପକ୍ଷରୁ ବମ୍ ମାଡ ଦ୍ୱାରା ୪,୩୦୦୦ ପାଲେଷ୍ଟାନିଅନ ମୃତ୍ୟୁବରଣ କରିଛନ୍ତି ଓ ଏମାନଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଅଛନ୍ତି । ଏହା ସହିତ ଇସ୍ରାଏଲ ପକ୍ଷରୁ ଗାଜାରେ ଜଳ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ଯୋଗାଣ ବନ୍ଦ କରିଦିଆଯାଇଛି ।
ଏବେ ଗାଜାରେ ବସବାସ କରୁଥିବା ପାଲେଷ୍ଟାନୀୟମାନଙ୍କ ଜୀବନ ନର୍କ ସହିତ ସମାନ ହୋଇଯାଇଛି । ଏବେ ସେଠାରେ ଯେତିକି ବି ଲୋକ ବସବାସ କରୁଛନ୍ତି ସେମାନେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ନିଜ ପରିବାରକୁ ଧରି ସେମାନେ କେଉଁଠାକୁ ଯିବେ ଓ କିପରି ଜୀବନ ବଞ୍ଚାଇବେ ଏହି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି ।
ତେବେ ଗାଜାରେ ମାନବିକତାର ହତ୍ୟା କରାଯାଉଥିବା କହି ଜାତିସଂଘ ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି । ଏହି କ୍ରମରେ ଇଜିପ୍ଟରେ ଆୟୋଜିତ ଶାନ୍ତି ସମ୍ମିଳନୀରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ମାନବିକତାର ହତ୍ୟାକୁ ବନ୍ଦ କରିବାକୁ ନିବେଦନ କରିଛନ୍ତି । ଇସ୍ରାଏଲ ସହ ଏକ ବୁଝାମଣା ପରେ ଶନିବାର ଇଜିପ୍ଟରୁ ଗାଜାକୁ ଖାଦ୍ୟପାଦାର୍ଥ, ପାଣି, ମେଡିସିନ୍‌, ପଠାଯାଇଛି । ଜାତିସଂଘ ପକ୍ଷରୁ କୁହାଯାଇଛି ଗାଜାରେ ଆହୁରି ସହାୟତାର ଆବଶ୍ୟକତା ରହିଛି । ଏ ଦିଗରେ ସମଗ୍ର ବିଶ୍ୱ ସହାୟତାର ହାତ ବଢାଇବା ଉଚିତ ବୋଲି ଜାତିସଂଘ କହିଛି ।

Get real time updates directly on you device, subscribe now.