fbpx

ପୂଜାରେ ବଡ଼ ଅଘଟଣ: ୪ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମା’ଙ୍କ ଆଗମନରେ ରାଜଧାନୀ ଭୁବନେଶ୍ୱରର ଗଳିକନ୍ଦି ଉତ୍ସବ ମୁଖର ହୋଇ ଉଠିଛି । ଆଜି ଅଷ୍ଟମୀରେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭକ୍ତଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ତେବେ ଏହି ଗହଳି ମଧ୍ୟରେ ଦେଖିବାକୁ ମିଳିଛି ଚୋରଙ୍କର ପ୍ରାଦୁର୍ଭାବ । ଗହଳିର ସୁଯୋଗ ଦେଇ ଦୁର୍ବୃତ୍ତମାନେ ମହିଳାଙ୍କଠାରୁ ସୁନା ଚେନ୍ ଲୁଟି ନେଇଥିବା ଖବର ମିଳିଛି ।

ସୂଚନା ମୁତାବକ, ରାଜଧାନୀର ବମିଖାଲ ପୂଜା ମଣ୍ଡପ ନିକଟରେ ୪ ଜଣ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମଣ୍ଡପକୁ ପୋଲିସ ଜଗିବା ସହିତ ସିସିଟିଭି ରହିଥିଲେ ହେଁ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇବାରେ ସକ୍ଷମ ହୋଇଥିଲେ । ଆଜି ମା’ଙ୍କର ମହାଷ୍ଟମୀର ପ୍ରବଳ ଗହଳି ହୋଇଥିବା ବେଳେ ଲୁଟେରାମାନେ ଚତୁରତାର ସହିତ ସୁନା ଚେନ୍ ଲୁଟି ନେଇଥିଲେ । ଲୁଟେରାମାନେ କାହାର ମଙ୍ଗଳସୂତ୍ର ତ ଆଉ କାହାର ଚେନ୍ ଲୁଟି ନେଇଥିଲେ ।

ତେବେ ଏହି ଘଟଣା ପରେ ପୋଲିସ ଓ ପୂଜା କମିଟିର ସଦସ୍ୟମାନେ ସିସିଟିଭି ଯାଞ୍ଚ କରିଥିଲେ । ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯିବା ପରେ ବି ଲୁଟେରାମାନେ କିଭଳି ଏହି କାଣ୍ଡ ଘଟାଇଲେ ତାହା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଏହି ଲୁଟ ପଛରେ ମହିଳା ଲୁଟେରା ଗ୍ୟାଙ୍ଗର ହାତ ରହିଥିବା ସନ୍ଦେହ କରାଯାଉଛି । ଲୁଟ ସମୟରେ କିଛି ମହିଳାଙ୍କୁ ପ୍ରତ୍ୟକ୍ଷଦର୍ଶୀ ଦେଖିଥିବା କହିଛନ୍ତି । ତେବେ ପୂଜା ମଣ୍ଡପରେ ମହିଳା ପୋଲିସଙ୍କୁ ମୁତୟନ କଲେ ଏହି ଅଘଟଣ ଉପରେ ରୋକ ଲାଗି ପାରନ୍ତା ବୋଲି ପୂଜା କମିଟି ସମ୍ପାଦକ କହିଛନ୍ତି ।

Get real time updates directly on you device, subscribe now.