fbpx

ଶିକ୍ଷକଙ୍କୁ ଦିଆଯିବ ୮ ଇଞ୍ଚିଆ ଟାବଲେଟ୍: ସମସ୍ତ DEOଙ୍କୁ OSEPAର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ତେବେ ଏହା ମଧ୍ୟରେ ପ୍ରାଥମିକ ଶିକ୍ଷାକୁ ଡିଜିଟାଲୀକରଣ କରିବା ଲକ୍ଷ୍ୟରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ପ୍ରଦାନ ନିମନ୍ତେ ଟାବଲେଟ କିଣିବା ପାଇଁ ପୂର୍ବରୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନା ମୁତାବକ, ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଶିକ୍ଷା ଦେବା ପାଇଁ ଶିକ୍ଷକଙ୍କୁ ଟାବଲେଟ୍ ପ୍ରଦାନ କରାଯିବ । ସମଗ୍ର ଶିକ୍ଷା ଅଧିନରେ ଟିଚର୍ସ ପ୍ୟାକେଜର କାର୍ଯ୍ୟକାରୀ କରିବା ପାଇଁ ସ୍କୁଲ ସ୍ତରରେ ୮ ଇଞ୍ଚିଆ ଟାବଲେଟ୍ ବଣ୍ଟନ କରାଯିବ । ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

ତେବେ ସ୍କୁଲଗୁଡ଼ିକରେ ଟାବଲେଟ୍ ବଣ୍ଟନ ପାଇଁ ୪ ସୂତ୍ରୀ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ଓସେପା କ୍ଷରୁ ପ୍ରଦତ୍ତ ତାଲିକା ଅନୁସାରେ ଶିକ୍ଷକଙ୍କୁ ଟାବଲେଟ୍ ବଣ୍ଟନ କରାଯିବ । ତାଲିକାରେ ଥିବା କୌଣସି ଶିକ୍ଷକ ଯଦି ସ୍କୁଲରେ ନଥାନ୍ତି ତେବେ ଉକ୍ତ ସ୍କୁଲରେ ପ୍ରାଥମିକ ସ୍ତରର ଛାତ୍ରଛତ୍ରୀଙ୍କୁ ପାଠ ପଢ଼ାଉଥିବା ଅନ୍ୟ ଶିକ୍ଷକଙ୍କୁ ତାହା ପ୍ରଦାନ କରାଯିବ ବୋଲି କୁହାଯାଇଛି । ତେବେ ଶିକ୍ଷକଙ୍କୁ ତାଲିମ୍ ପ୍ରଦାନ ଲକ୍ଷ୍ୟରେ ୯୬ ହଜାର ଟାବଲେଟ୍ କିଣାଯିବ ବୋଲି ଗତ ମାସରେ ବିଭାଗ ପକ୍ଷରୁ କୁହାଯାଇଥିଲା । ଯୋଜନା ଓ ସଂଯୋଜନା ବିଭାଗ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ରାଜ୍ୟ ସରକାରଙ୍କୁ ଉକ୍ତ ପ୍ରସ୍ତାବ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । ରାଜ୍ୟ ସରକାର ଟାବଲେଟ୍ କ୍ରୟ ପାଇଁ ୨୭୫୯ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Get real time updates directly on you device, subscribe now.