fbpx

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଲଢ଼େଇ: ବର୍ଷା ବାଧକ ସାଜିଲେ ବା ମ୍ୟାଚ ଟାଇ ହେଲେ କିଏ ହେବ ବିଜେତା?

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଭାରତ-ନେଦରଲାଣ୍ଡସ ମଧ୍ୟରେ ଚାଲିଥିବା ଲଢ଼େଇ ହେଉଛି ବିଶ୍ୱକପର ଶେଷ ଲିଗ୍ ମ୍ୟାଚ । ଏହା ପରେ ଆସନ୍ତା ୧୫ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ଓ ୧୬ ତାରିଖରେ ଦକ୍ଷିଣ ଆଫ୍ରିକା- ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହେବ । ତା’ପରେ ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ଲଢ଼େଇ ହେବ ।

ତେବେ ଚଳିତ ବିଶ୍ୱକପରେ ଭାରତ କ୍ରମାଗତ ୮ଟି ମ୍ୟାଚ ଜିତି ଅପରାଜେୟ ରହିଥିଲେ ହେଁ ନ୍ୟୁଜିଲାଣ୍ଡକୁ ନେଇ ଟିମ୍ ଇଣ୍ଡିଆକୁ ସାବଧାନ ରହିବାକୁ ପଡ଼ିବ । କାରଣ ଗତ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଥିଲା । ତେବେ ଏଠାରେ ପ୍ରଶ୍ନଉଠେ, ଯଦି ସେମିଫାଇନାଲ ମ୍ୟାଚରେ ବର୍ଷା ହୁଏ ବା ମ୍ୟାଚ ଟାଇ ହୁଏ ତେବେ କାହାକୁ ବିଜେତା ଘୋଷଣା କରାଯିବ?

ଯଦି ସେମିଫାଇନାଲରେ ବର୍ଷା ବାଧକ ସାଜେ ତେବେ ଆଇସିସି ଏଥିପାଇଁ ରିଜର୍ଭ-ଡେ’ ରଖିଛି । ଫାଇନାଲ ମ୍ୟାଚ ପାଇଁ ମଧ୍ୟ ଏହି ବିକଳ୍ପ ରଖାଯାଇଛି । ତେବେ ରିଜର୍ଭ-ଡେ’ରେ ଯଦି ପୁଣି ବର୍ଷା ହୁଏ, ତେବେ ପଏଣ୍ଟ ଟେବୁଲରେ ଦୁଇ ଟିମର ପୋଜିସନ ଦେଖାଯିବ । ଟେବୁଲ ଉପରେ ରହିଥିବା ଟିମକୁ ବିଜେତା ଭାବେ ଘୋଷଣା କରାଯିବ । ପଏଣ୍ଟ ଟେବୁଲରେ ଟପରେ ରହିଥିବାରୁ ଏଭଳି ସ୍ଥିତିରେ ଭାରତକୁ ବିଜେତା ଘୋଷଣା କରାଯିବ । ସେହିପରି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ଏହି ସ୍ଥିତି ଉପୁଜିଥିଲେ ଟେବୁଲର ୨ ନମ୍ବରରେ ରହିଥିବା ଟିମକୁ ବିଜେତା ଭାବେ ଘୋଷଣା କରାଯିବ ।

ଗତ ୨୦୧୯ ବିଶ୍ୱକପ ଫାଇନାଲ ମ୍ୟାଚ ଟାଇ ହେବାରୁ ସୁପର ଓଭର ହୋଇଥିଲା । ମାତ୍ର ସୁପର ଓଭର ଟାଇ ହେବାରୁ ବାଉଣ୍ଡରୀ ଗଣା ଯାଇଥିଲା । ଫଳରେ ଇଂଲଣ୍ଡକୁ ବିଜେତା ଭାବେ ଘୋଷିତ କରାଯାଇଥିଲା । ତେବେ ଉକ୍ତ ନିୟମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଓ ପରେ ତାହାକୁ ଆଇସିସି ହଟାଇ ଦେଇଥିଲା । ତେବେ ଚଳିତ ବିଶ୍ୱକପରେ ଉକ୍ତ ନିୟମ ଲାଗୁ ହେବ ନାହିଁ । ଯଦି ସେମିଫାଇନାଲ ବା ଫାଇନାଲ ମ୍ୟାଚ ଟାଇ ହୁଏ ତେବେ ସୁପର ଓଭର କରାଯିବ । ଯଦି ସୁପର ଓଭର ଟାଇ ହୁଏ, ତେବେ ଏଭଳି ସ୍ଥିତିରେ ପୁଣି ଥରେ ସୁପର ଓଭର କରାଯିବ । ଗୋଟିଏ ଟିମ୍ ଜିତିବା ପର୍ଯ୍ୟନ୍ତ ଓପର ଓଭର ଖେଳ ଜାରି ରହିବ । ଫଳରେ ଫ୍ୟାନ୍ସଙ୍କ ମଧ୍ୟରେ ଅଧିକ ରୋମାଞ୍ଚ ଦେଖିବାକୁ ମିଳିବ ।

Get real time updates directly on you device, subscribe now.