fbpx

ଦୀପାବଳି ଧମାକା; ନେଦରଲାଣ୍ଡ୍‌ସକୁ ୧୬୦ ରନରେ ପରାସ୍ତ କଲା ଭାରତ

ଓଡିଶା ଭାସ୍କର; ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌-୨୦୨୩ର ୪୫ତମ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସକୁ ବଡ଼ ବ୍ୟବଧାନରେ ପରାସ୍ତ କଲା ଭାରତ । ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚରେ ୧୬୦ ରନରେ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଏହାକୁ ମିଶାଇ ଭାରତୀୟ ଦଳ ଲିଗର ସମସ୍ତ ୯ଟି ମ୍ୟାଚରେ ବିଜୟ ହାସଲ କରିଛି । ତେବେ ଦୀପାବଳି ଅବସରରେ ଆଜି ସାରା ଦେଶବାସୀଙ୍କୁ ଭାରତୀୟ ଦଳର ଖେଳାଳି ମାନେ ବିଜୟର ଉପହାର ଦେଇଛନ୍ତି । ଯାହାକୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ଦେଖାଦେଇଛି ।

ସୂଚନା ଥାଉକି, ଆଜିର ଏହି ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା ଭାରତ । ଆଉ ଏହା ପରେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪ଟି ୱିକେଟ୍‌ ହରାଇ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪୧୦ ରନ୍‌ ସଂଗ୍ରହ କରିଥିଲା । ଏଥିରେ ଯୁବ ବ୍ୟାଟର ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ଶତକ ହାସଲ କରିଥିବା ‌ବେଳେ ଅଧିନାୟକ ରୋହିତ ଶର୍ମା, ଶୁବମନ ଗିଲ ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାକୁ ନେଇ ନେଦରଲାଣ୍ଡ୍‌ସ ଆଗରେ ୪୧୧ ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଏହି ବିଶାଳ ସ୍କୋରକୁ ହାସଲ କରିବାକୁ ଯାଇ ୪୭.୫ ଓଭରରେ ଅଲ୍‌ଆଉଟ୍‌ ହୋଇ ନେଦରଲାଣ୍ଡ୍‌ସ ମାତ୍ର ୨୫୦ ରନ୍‌ ସଂଗ୍ରହ କରିପାରିଛି । ଯାହା ଫଳରେ ୧୬୦ ରନରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଅନ୍ୟପଟେ ଆଜିର ଏହି ବିଶାଳକାୟ ସ୍କୋରକୁ ନେଇ ଭାରତୀୟ ଟିମ୍‌ ବିଶ୍ୱକପ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍‌ କରିପାରିଛି। ପୂର୍ବରୁ ବିଶ୍ୱକପ-୨୦୦୭ରେ ଭାରତ ବରମୁଡ଼ା ବିରୋଧରେ ୪୧୩ ରନ୍‌ କରିପାରିଥିଲା।

Get real time updates directly on you device, subscribe now.