fbpx

ସ୍ୱାଧୀନତାର ୭୫ ବର୍ଷ ପରେ ଏହି ମନ୍ଦିରରେ ଜଳିଲା ଦୀପ: ଜାଣନ୍ତୁ କାହିଁକି ଆଗରୁ ଏଠାରେ ଦୀପାବଳି ପାଳନ ହେଉନଥିଲା

ନୂଆଦିଲ୍ଲୀ: ଗତକାଲି ସମଗ୍ର ଦେଶରେ ଦୀପାବଳି ଖୁବ ଧୁମଧାମରେ ପାଳନ କରାଯାଇଛି । ସନ୍ଧ୍ୟାରେ ପୂଜାର୍ଚ୍ଚନା କରିବା ପରେ ଲୋକମାନେ ମିଠା ଖାଇ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ । ତେବେ ଏହାରି ଭିତରେ ଦେଶରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ପରେ ଦୀପାବଳି ପାଳନ କରାଯାଇଛି ।

ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ଟିଟୱାଲରେ ଅବସ୍ଥିତ ଶାରଦା ମନ୍ଦିର । ଏଠାରେ ଗତ ୭୫ ବର୍ଷ ହେବ ଦୀପାବଳି ପାଳନ କରାଯାଇନଥିଲା । ତେବେ ପ୍ରଥମ ଥର ପାଇଁ ଏଠାରେ ଦୀପାବଳିରେ ପୂଜାର୍ଚ୍ଚନା କରାଯାଇଛି। ତେବେ ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ଏହି ମନ୍ଦିରେ ଦୀପାବଳି ପାଳନ କରାଯାଉଥିବାରୁ ଏଠାକାର ବାସିନ୍ଦା ବେଶ ଉତ୍ସାହିତ ଥିବା କହିଛନ୍ତି ମନ୍ଦିର କର୍ତ୍ତୃପକ୍ଷ ।

ଏହି ପୂଜା ଉପଲକ୍ଷେ ୧୦୪ ବିଜୟ ଶକ୍ତି ବ୍ରିଗେଡ୍ କମାଣ୍ଡର କୁମାର ଦାସ ଏବଂ ‘ସେଭ୍ ଶାରଦା କମିଟି’ ମୁଖ୍ୟ ରବିନ୍ଦ୍ର ପଣ୍ଡିତ ଉପସ୍ଥିତ ଥିଲେ। ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏବଂ ତ୍ରିଭୋନୀ ଗାଁର ଶିଖମାନେ ଏହି ପୂଜାରେ ଯୋଗ ଦେଇଥିଲେ । ମନ୍ଦିରେ ପୂଜା ସରିବା ପରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା । ସେହିପରି ଏହି ଅବସରରେ ତହସିଲଦାର ଟାଙ୍ଗଧର ଆଇୟାଦ କାଦ୍ରି, କାର୍ୟ୍ୟକର୍ତ୍ତା ସନ୍ଦୀପ ମାୱା, ଶାରଦା କମିଟି ସଦସ୍ୟ ଅଜାଜ ଖାନ, ଇଫ୍ତିଖାର, ଅବସରପ୍ରାପ୍ତ କ୍ୟାପଟେନ ଇଲିୟାସ, ହମିଦ ମିର ଏବଂ ଟ୍ରିବୋନିର ଶିଖମାନେ ଉପସ୍ଥିତ ଥିଲେ। ଏହାପୂର୍ବରୁ ପୋକ୍ ନାଗରିକ ସମାଜର ସଦସ୍ୟମାନେ ଚିଲହାନା ଆଡକୁ ଆସି ରବିନ୍ଦର ପଣ୍ଡିତ ଏବଂ ସଦସ୍ୟମାନଙ୍କୁ ଧଳା ପତାକା ଉତ୍ତୋଳନ କରି ଦୀପାବଳି ଅଭିବାଦନ ଜଣାଇଥିଲେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ଏହି ଗଣପର୍ବକୁ ଭାଇଚାରାର ସହ ବଡ଼ ଧୁମଧାମରେ ପାଳନ କରାଯାଇଛି ।

ସୂଚନାଯୋଗ୍ୟ, ଦେଶ ବିଭାଜନ ପୂର୍ବରୁ ଏଠାରେ ଉଭୟ ଗୁରୁଦ୍ୱାର ଏବଂ ମନ୍ଦିର ଥିଲା ଯେଉଁଠାରେ ୧୯୪୭ ମସିହା ପର୍ଯ୍ୟନ୍ତ ଦୀପାବଳି ପାଳନ କରାଯାଉଥିଲା । କିନ୍ତୁ କିଛି ଆଦିବାସୀ ସମ୍ପ୍ରଦାୟ ଏହି ମନ୍ଦିର ଉପରେ ଆକ୍ରମଣ କରି ମନ୍ଦିରରେ ନିଆଁ ଲଗାଇ ଦେଇଥିଲେ । ତେବେ ସ୍ୱାଧୀନତାର ୭୫ ବର୍ଷ ପରେ ଚଳିତ ବର୍ଷ ଏଠାରେ ପୁଣି ଥରେ ଦୀପାବଳି ପାଳନ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.