fbpx

IND vs NZ Semi Final; କୋହଲିଙ୍କ ଟାର୍ଗେଟରେ ସଚିନ ତେନ୍ଦୁଲକର: ୫୦ ଶତକ ସହ ୩ଟି ମାଇଲଷ୍ଟୋନ୍ ଚୂନା

ମୁମ୍ବାଇ: ବିଶ୍ୱକପରେ କିଙ୍ଗ କୋହଲି ଦେଖାଇଛନ୍ତି ନିଜର ବିଶ୍ୱ ରୂପ । ସେମି ଫାଇନାଲ ଭଳି ଏକ ବିଶାଳ ମ୍ୟାଚରେ କୋହଲିଙ୍କ ‘ବିରାଟ’ ରୂପ ଦେଖିଛି ନ୍ୟୁଜିଲାଣ୍ଡ । ଚଳିତ ବିଶ୍ୱକପରେ ନିଜର ତୃତୀୟ ଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ଏହି ଶତକ ସହିତ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଦୁଇଟି ବିଶାଳ ରେକର୍ଡକୁ ନିଜ ନାମରେ କରିଛନ୍ତି । ୨୦୦୩ ବିଶ୍ୱକପରେ ସଚିନ ସୃଷ୍ଟି କରିଥିବା ୨ଟି ମାଇଲଷ୍ଟୋନକୁ ଅତିକ୍ରମ କରି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ବିରାଟ ।

ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୧୦୬ ବଲରୁ ଦମଦାର ଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ଏହି ଶତକ ସହିତ ବିରାଟ ସଚିନ୍ ତେନ୍ଦୁଲକରଙ୍କ ସର୍ବାଧିକ ଶତକୀୟ ଇନିଂସର ରେକର୍ଡକୁ ଭାଙ୍ଗିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଶତକ ଅର୍ଜନ କରି ସଚିନଙ୍କ ୪୯ ଦିନିକିଆ ଶତକୀୟ ଇନିଂସ ରେକର୍ଡର ସମକକ୍ଷ ହୋଇଥିଲେ ବିରାଟ କୋହଲି । ଏହାପରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଦିନିକିଆ କ୍ରିକେଟ ଇତିହାସରେ ହାସଲ କରିଛନ୍ତି ୫୦ତମ ଶତକ । ଏହି ଶତକ ସହ ସଚିନଙ୍କ ଏହି ରେକର୍ଡକୁ ଅତିକ୍ରମ କରିବାରେ କୋହଲି ସଫଳ ହୋଇଛନ୍ତି । ସଚିନ୍ ଦିନିକିଆରେ ମୋଟ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ୫୦ଟି ଶତକ ସହ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବର୍ତ୍ତମାନ ଶତକୀୟ ଇନିଂସ ତାଲିକାରେ ଦ୍ୱିତୀୟ ସ୍ଥାନକୁ କସିଛନ୍ତି ସଚିନ୍ ତେନ୍ଦୁଲକର ।

ଏହାସହିତ ୫୯ ବଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି । ତେବେ ଆଜିର ମ୍ୟାଚରେ ୭୯ କରିବା ମାତ୍ରେ ସଚିନଙ୍କ ଏହି ବିଶାଳ ରେକର୍ଡକୁ ନିଜ ନାମରେ କରିଛନ୍ତି ବିରାଟ । କୌଣସି ବିଶ୍ୱକପରେ ବ୍ୟକ୍ତିଗତ ସର୍ବାଧିକ ରନ୍ କରିବାରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି । ସେମି ଫାଇନାଲ ମ୍ୟାଚରେ ୭୯ ରନ୍ ସହିତ ଚଳିତ ବିଶ୍ୱକପରେ ୬୭୪ ରନ୍ କରି ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ଆଜିର ଶତକ ପୂର୍ବରୁ ୨ଟି ଶତକ ଏବଂ ୬ଟି ଅର୍ଦ୍ଧଶତକୀୟ ଇନିଂସ ସହିତ ତାଲିକାର ପ୍ରଥମ ସ୍ଥାନକୁ ପହଞ୍ଚିଛନ୍ତି । ତେବେ ୨୦୦୩ ବିଶ୍ୱକପରେ ସଚିନ୍ ସର୍ବାଧିକ ୬୭୩ ରନ୍ କରିଥିବା ବେଳେ ବିରାଟ ଏହି ଇନିଂସ ସହ ତାଲିକାର ଶୀର୍ଷରେ ପହଞ୍ଚିଛନ୍ତି । ୨୦୨୩ ବିଶ୍ୱକପରେ ବିରାଟ ସଚିନଙ୍କ ଏହି ମାଇଲଷ୍ଟୋନ ନିଜ ନାମରେ କରିଛନ୍ତି ।

ଏହାବ୍ୟତୀତ ଏହି ଅର୍ଦ୍ଧଶତକୀୟ ଇନିଂସ ସହ ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି । କୌଣସି ବିଶ୍ୱକପରେ ସର୍ବାଧିକ ଥର ୫୦ କିମ୍ବା ତା’ଠାରୁ ଅଧିକ ରନ୍ ସଂଗ୍ରହ କରିବାରେ ସଚିନଙ୍କୁ ଅତିକ୍ରମ କରିଛନ୍ତି କୋହଲି । ୨୦୦୩ ବିଶ୍ୱକପରେ ସଚିନ୍ ତେନ୍ଦୁଲକର ୭ଟି ଇନିଂସରେ ୫୦+ ସ୍କୋର କରିଥିବା ବେଳେ ବିରାଟ ଚଳିତ ବିଶ୍ୱକପରେ ୮ଥର ଏହି କାରନାମା କରିଛନ୍ତି । ଲିଗ୍ ଷ୍ଟେଜରେ ୫ ଅର୍ଦ୍ଧଶତକ ଏବଂ ୨ଟି ଶତକ ସହ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଅର୍ଦ୍ଧଶତକ ହାସଲ କରି ଏହି ମାଇଲଷ୍ଟୋନ୍ ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.