fbpx

WC ସେମି ଫାଇନାଲରେ ଶ୍ରେୟସ ଝଡ଼: ବିରାଟଙ୍କ ପରେ ଶତକ ହାସଲ କଲେ ଆୟର

ମୁମ୍ବାଇ: ସେମି ଫାଇନାଲରେ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛି ଟିମ ଇଣ୍ଡିଆ । ରୋହିତ-ଗିଲଙ୍କ ଦମଦାର ଆରମ୍ଭ ପରେ ବିରାଟ କୋହଲି ଏବଂ ଶ୍ରେୟସ ଆୟର ମଧ୍ୟ ନିଜର ଭୟଙ୍କର ରୂପ ଦେଖାଇଛନ୍ତି । ଦିନିକିଆ ଇତିହାସରେ ବିରାଟ କୋହଲି ହାସଲ କରିଛନ୍ତି ନିଜର ୫୦ତମ ଶତକ । ଏହାସହ ସେ ସଚିନ୍ ତେନ୍ଦୁଲକରଙ୍କ ସର୍ବକାଳୀନ ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି । ତେବେ କୋହଲିଙ୍କ ଏହି ଇନିଂସ ପରେ ଶ୍ରେୟସ ଆୟର ମଧ୍ୟ ଶତକୀୟ କ୍ଲବରେ ବିରାଟଙ୍କ ସହ ଯୋଡ଼ି ହୋଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଭାରତ ପକ୍ଷରୁ ଦ୍ୱିତୀୟ ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର ।

ସେମି ଫାଇନାଲ ମ୍ୟାଚରେ ‘ବିରାଟ’ ପାଳି ଖେଳି କୋହଲି ଆଉଟ ହେବା ପରେ ଇନିଂସ ସମ୍ଭାଳିଛନ୍ତି ଶ୍ରେୟସ ଆୟର । କୋହଲି ଏହି ମ୍ୟାଚରେ ୧୧୩ ବଲରୁ ୧୧୭ ରନ୍ କରି ଆଉଟ ହୋଇଛନ୍ତି । ଏହାପରେ ସାଥୀ ଖେଳାଳି ଶ୍ରେୟସ ମଧ୍ୟ ନିଜର ଦ୍ୱିତୀୟ ବିଶ୍ୱକପ ଶତକ ହାସଲ କରିଛନ୍ତି । ନେଦରଲାଣ୍ଡ ବିପକ୍ଷରେ ପ୍ରଥମ ଶତକ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଗାତାର ଦ୍ୱିତୀୟ ଶତକ ନିଜ ନାମରେ କରିଛନ୍ତି ଆୟର । ମାତ୍ର 67 ବଲରୁ ଏହି ବିସ୍ଫୋରକ ଶତକୀୟ ପାଳି ଖେଳିଛନ୍ତି ସୁପରଷ୍ଟାର ଶ୍ରେୟସ । ଏହି ଇନିଂସରେ ଶ୍ରେୟସ ୩ଟି ଚୌକା ସହ ୮ଟି ବିଶାଳ ଛକା ମାରି ବୋଲରଙ୍କ ସବୁ ଯୋଜନା ପଣ୍ଡ କରି ଦେଇଛନ୍ତି ।

ସେମି ଫାଇନାଲର ବଡ଼ ମ୍ୟାଚରେ ଶୁଭମନ ଗିଲ୍ ଆହତ ହୋଇ ପାଭିଲିୟନ ପେରିବା ପରେ ମଇଦାନକୁ ଆସିଥିଲେ ଶ୍ରେୟସ । ଗୋଟିଏ ପକ୍ଷରେ କୋହଲି ଧିରେ ଧିରେ ଇନିଂସକୁ ଆଗେଇ ନେଉଥିବା ବେଳେ ଶ୍ରେୟସ ପାୱାର ହିଟିଂ ଆରମ୍ଭ କରିଥିଲେ । ନ୍ୟୁଜିଲାଣ୍ଡର ସମସ୍ତ ବୋଲରଙ୍କୁ ଟାର୍ଗେଟ କରି ଛକା-ଚୌକା ବର୍ଷା କରିଛନ୍ତି ଆୟର । ଏହାସହ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୬୭ ବଲରୁ ଶ୍ରେୟସ ଧୂଆଁଧାର ଶତକ ଅର୍ଜନ କରିଛନ୍ତି । ତେବେ ଏହା ବିଶ୍ବକପରେ ତାଙ୍କର ଲଗାତାର ଦ୍ୱିତୀୟ ଶତକ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ଭଳି ମ୍ୟାଚରେ ଆସିଛି । ତେବେ ୭୦ ବଲରୁ ୧୦୫ ରନ୍ କରି ପାଭିଲିୟନ ଫେରିଛନ୍ତି ଆୟର । ଶ୍ରେୟସଙ୍କ ଏହି ବିସ୍ଫୋରକ ଇନିଂସରେ ୪ଟି ଚୌକା ଏବଂ ୮ଟି ଛକା ସାମିଲ ରହିଛି । ବିରାଟ କୋହଲିଙ୍କ ପରେ ଶ୍ରେୟସଙ୍କ ଏହି ଇନିଂସ ଭାରତକୁ ୩୫୦ ରନ୍ ଅତିକ୍ରମ କରାଇଛି । ବର୍ତ୍ତମାନ ନ୍ୟୁଜିଲାଣ୍ଡକୁ ଏବ ବିଶାଳକାୟ ଲକ୍ଷ୍ୟ ଦେବା ଅଭିମୁଖେ ଆଗେଇଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.