fbpx

ବିଶ୍ୱକପ ସେମି ଫାଇନାଲରେ ଭାରତର ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡକୁ ମିଳିଲା ୩୯୮ ରନର ଟାର୍ଗେଟ

ଓଡିଶା ଭାସ୍କର; ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ । ଦଳର ଦମଦାର ବ୍ୟାଟିଂ ଫଳରେ ଭାରତ ୩୯୭ ରନ ସଂଗ୍ରହ କରିଛି । ଏହାକୁ ନେଇ ନ୍ୟୁଜିଲାଣ୍ଡ ଆଗରେ ୩୯୮ ରନର ବିଜୟ ଲକ୍ଷ୍ୟ ରହିଛି । ତେବେ ନିର୍ଦ୍ଧାରିତ ୫୦ ଓଭରରେ ଭାରତୀୟ ଦଳ ମାତ୍ର ୪ ୱିକେଟ ହରାଇ ୩୯୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି ।

ସୂଚନା ଯୋଗ୍ୟ, ବିଶ୍ୱକପ୍‌ ୨୦୨୩ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ ଆଜି ମୁମ୍ବାଇରେ ଖେଳାଯାଉଛି । ତେବେ ଏହି ପ୍ରଥମ ସେମିରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ଏହା ପରେ ପ୍ରଥମ ଇନିଂସରେ ହିଁ ଇଣ୍ଡିଆ ଟିମ୍‌ ତାର ଜଲୱା ଦେଖାଇଥିଲା । ଭାରତ ପକ୍ଷରୁ ପ୍ରଥମେ ୨୯ ବଲରେ ୪୭ କରି ଦଳର ଅଧିନାୟକ ରୋହିତ ଶର୍ମା ଆଉଟ ହୋଇଥିଲେ। ଏହା ପରେ ଶୁଭମାନ ଗିଲ ଓ ବିରାଟ କୋହଲି ବ୍ୟାଟିଂ ଭାର ସମ୍ଭାଳିଥିଲେ । ଶୁଭମାନ ଗିଲ ୬୫ ବଲରେ ୭୯ ରନ କରି ରିଟାର୍ଡ ହର୍ଟ ହୋଇଥିଲେ। ଏହାପରେ ବିରାଟଙ୍କ ସାଥ ଦେବା ପାଇଁ ଶ୍ରେୟସ ଆୟର ଆସିଥିଲେ।

ବିରାଟ ୧୧୩ ବଲ ଖେଳି ସର୍ବାଧିକ ୧୧୭ ରନ କରି ଶେଷରେ ଆଉଟ ହୋଇଥିଲେ। ତେବେ ଏହି ସେଞ୍ଚୁରି ସ୍କୋରକୁ ନେଇ ବିରାଟ ଦିନିକିଆରେ ୫୦ ତମ ଶତକ ହାସଲ କରିବାରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଶ୍ରେୟସ ଆୟର ମଧ୍ୟ ଏକ ବିସ୍ଫୋରକ ଶତକୀୟ ଇଂନିସ ଖେଳିଥିଲେ। ଶ୍ରେୟସ ଆୟର ୭୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। ଶ୍ରେୟସଙ୍କ ଆଉଟ ପରେ ମୈଦାନକୁ ଓଲ୍ହାଇଥିଲେ କେ.ଏଲ୍ ରାହୁଲ । ସେ ୨୦ ଟି ବଲ ଖେଳିବାର ସୁଯୋଗ ପାଇ ୩୯ ରନ ସଂଗ୍ରହ କରି ଅପରାଜିତ ରହିଥିଲେ। କେ.ଏଲ୍ ସାଥ ଦେବା ପାଇଁ ଶେଷ ସମୟରେ ସୂର୍ୟ୍ୟକୁମାର ଯାଦବ ଗ୍ରାଉଣ୍ଡକୁ ଆସିଥିଲେ । ମାତ୍ର ସେ ବଡ଼ ସର୍ଟ ଖେଳିବାକୁ ଯାଇ ୨ ଟି ବଲରେ ୧ ରନ ସଂଗ୍ରହ କରି ଆଉଟ ହୋଇଯାଇଥିଲେ । ପରେ ରିଟାର୍ଡ ହର୍ଟ ହୋଇଥିବା ଶୁଭମାନ ଗିଲ ପୁଣି ଥରେ ଗ୍ରାଉଣ୍ଡକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶେଷ ସମୟରେ ଦଳୀୟ ସ୍କୋରକୁ ୩୯୭ ପହଞ୍ଚାଇବାରେ ସେ ସହାୟକ ହେବା ସହ ନିଜେ ୬୬ ବଲରେ ୮୦ ରନ କରି ଅପରାଜିତ ରହିଥିଲେ। ତେବେ ସମସ୍ତଙ୍କର ଏହି ସ୍କୋର ସହାୟତାରେ ଦଳ ବିପକ୍ଷ ନ୍ୟୁଜିଲାଣ୍ଡକୁ ୩୯୮ ଭଳି ଏକ ବଡ଼ ଟାର୍ଗେଟ ଦେବାରେ ସକ୍ଷମ ହୋଇଥିଲା ।

  • ରୋହିତ ଶର୍ମା(ଆଉଟ); ୨୯ ବଲ୍‌ – ୪୭ ରନ୍‌
  • ଶୁବମନ୍‌ ଗିଲ(ନଟ ଆଉଟ); ୬୬ ବଲ୍‌ -୮୦ ରନ୍‌
  • ବିରାଟ କୋହଲି(ଆଉଟ); ୧୧୩ ବଲ୍‌ -୧୧୭ ରନ୍‌
  • ଶ୍ରେୟସ ଆୟର(ଆଉଟ); ୭୦ ବଲ୍‌ -୧୦୫ ରନ୍‌
  • କେଏଲ୍‌ ରାହୁଲ(ନଟ ଆଉଟ); ୨୦ ବଲ୍‌ -୩୯ ରନ୍‌
  • ସୂର୍ୟ୍ୟକୁମାର ଯାଦବ(ଆଉଟ); ୧ ବଲ୍‌ – ୨ ରନ୍‌

Get real time updates directly on you device, subscribe now.