fbpx

‘ଟିମ୍ ଇଣ୍ଡିଆ ହିଁ ବିଶ୍ୱକପର ପ୍ରକୃତ ଚାମ୍ପିୟନ’: କାହାକୁ ନ ହରାଇଛି ଭାରତ, ଗୋଟିଏ ଖରାପ ଦିନ ପାଇଁ ସବୁ ପରିଶ୍ରମ ବୃଥା ଗଲା

ନୂଆଦିଲ୍ଲୀ: ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇ ଟିମ୍ ଇଣ୍ଡିଆ ସାରା ଭାରତବାସୀଙ୍କ ହୃଦୟ ଭାଙ୍ଗି ଦେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୪୧ ରନର ଟାର୍ଗେଟ ଦେଇଥିବା ବେଳେ ମାତ୍ର ୪ ୱିକେଟ ହରାଇ ଅଷ୍ଟ୍ରେଲିଆ ବିଜୟ ହାସଲ କରିନେଇଥିଲା । ଚଳିତ ବିଶ୍ୱକପରେ ବିରାଟ କୋହଲି ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ‘ମ୍ୟାନ୍ ଅଫ୍ ଦିନ ଟୁର୍ଣ୍ଣାମେଣ୍ଟ’ ପୁରସ୍କାର ପାଇଥିବା ବେଳେ ଅନ୍ୟ ଭାରତୀୟ ଖେଳାଳୀମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।

ଭାରତ କ୍ରମାଗତ ୧୦ଟି ମ୍ୟାଚରେ ବିଜୟ ହୋଇ ଅପରାଜେୟ ରହିଥିବା ବେଳେ କେବଳ ଗୋଟିଏ ମ୍ୟାଚରେ ପରାସ୍ତ ହୋଇ ବିଶ୍ୱ ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଛି । ସାରା ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟାଟିଂ ଓ ବୋଲିରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ବେଳେ ଫାଇନାଲରେ ଏପରି କିଛି ଘଟିବ ବୋଲି କେହି କଳ୍ପନା ସୁଦ୍ଧା କରିନଥିଲେ । ଏହି ପରାଜୟ ପାଇଁ କୌଣସି ଖେଳାଳିଙ୍କୁ ଦୋଷ ଦେଇ ହେବନି । ଫାଇନାଲ ଭାରତ ପାଇଁ ଏକ ଖରାପ ଦିନ ଥିଲା, ସେହିନ ଭାଗ୍ୟ ସାଥ୍ ଦେଇନଥିଲା, ସେଥିପାଇଁ ଭାରତ ହାରିଲା ବୋଲି ଆମ ସମସ୍ତଙ୍କୁ ଭାବିନେବାକୁ ପଡ଼ିବ ।

ଗୋଟିଏ ମ୍ୟାଚରେ ପରାଜୟ କାରଣରୁ ଭାରତକୁ ପୁଣି ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଭାରତ ନ୍ୟୁଜିଲାଣ୍ଡ ପରି ଏକ ମଜବୁତ ଟିମକୁ ୨ ଥର ପରାସ୍ତ କରିବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୬ ୱିକେଟରେ ବିଜୟ ହାସଲ କରିଥିଲା । ଭାରତ ମାତ୍ର ୨୨୯ ରନ କରି ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୧୦୦ ରନ ବ୍ୟବଧାନରେ ପରାସ୍ତ କରି ନିଜର ଶକ୍ତିଶାଳୀ ବୋଲିଂର ପରିଚୟ ଦେଇଥିଲା । ସେହିପରି ଦକ୍ଷିଣ ଆଫ୍ରିକା, ପାକିସ୍ତାନ ପରି ଟିମ୍ ଭାରତ ଆଗରେ ଚିତପଟାଙ୍ଗ ମାରିଥିଲେ । ଚଳିତ ବିଶ୍ୱକପରେ କୋହଲି ୩ଟି ଶତକ ହାସଲ କରିଥିବା ବେଳେ ଶ୍ରେୟସ ୨ଟି, ରୋହିତ ଶର୍ମା ଓ କେଏଲ ରାହୁଲ ଗୋଟିଏ ଲେଖାଏଁ ହାସଲ କରିଥିଲେ । ଟପ୍ ଅର୍ଡରଠାରୁ ଆରମ୍ଭ କରି ମିଡିଲ ଅର୍ଡର ପର୍ଯ୍ୟନ୍ତ ସମସ୍ତ ବ୍ୟାଟ୍ସମ୍ୟାନ ଟୁର୍ଣ୍ଣାମେଣ୍ଟରେ ପ୍ରତିପକ୍ଷ ବୋଲରଙ୍କ ନିଦ ହଜାଇ ଦେଇଥିଲେ । ବୋଲିଂରେ ମହମ୍ମଦ ଶାମୀ ଓ ଯଶପ୍ରୀତ ବୁମ୍ରା ବିଶ୍ୱକପରେ ବ୍ୟାଟ୍ସମ୍ୟାନମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ । କୁଲଦୀପ ଯାଦବଙ୍କ ବୋଲିଂ ଯାଦୁରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନ ଚିନ୍ତିତ ହୋଇ ପଡ଼ିଥିଲେ । ଶାମି ୭ଟି ମ୍ୟାଚରୁ ୨୪ଟି ୱିକେଟ ନେବା ସହିତ ବୁମ୍ରା ୨୦ଟି ଓ କୁଲଦୀପ ୧୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ସମସ୍ତ ବିଷୟ ଉପରେ ନଜର ପକାଇଲେ ଭାରତ ଯେ ବିଶ୍ୱକପର ଅସଲି ଚାମ୍ପିୟନ ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ ।

Get real time updates directly on you device, subscribe now.