fbpx

ଆମାଜନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି ହେବା କେତେଦୂର ଗ୍ରହଣୀୟ?

ଓଡିଶା ଭାସ୍କର; ପୁରୀ ଜଗନ୍ନାଥ ମନ୍ଦିର ବଡ଼ଦେଉଳ ବା ଶ୍ରୀମନ୍ଦିର ନାମରେ ସାରା ବିଶ୍ୱରେ ପରିଚିତ । ଯେଉଁ ମନ୍ଦିରକୁ ଏକ ରହସ୍ୟମୟ ମନ୍ଦିର ବୋଲି ମଧ୍ୟ କୁହାଯାଏ । ଏହାର ତୁଳସୀ, ନିର୍ମାଲ୍ୟ ଟିକିଏ ପାଇବା ଲାଗି କାହିଁ କେତେଦୂରରୁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁ ମାନେ ଧାଇଁ ଆସିଥାନ୍ତି । କଣିକାଏ କୈବଲ୍ୟ ପାଇଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ସମସ୍ତଙ୍କ ମନରେ ବିଶ୍ୱାସ ରହିଛି । କିନ୍ତୁ ବର୍ତ୍ତମାନ ଏହି ନିର୍ମାଲ୍ୟ, ତୁଳସୀକୁ ଅନଲାଇନରେ ବିକ୍ରି କରିବାରେ ଲାଗିଛି ଆମାଜନ କମ୍ପାନୀ। ଯାହାକୁ ନେଇ ପୂର୍ବରୁ ବିବାଦ ଦେଖା ଦେଇଥିବା ବେଳେ ଏବେ ପୁଣି ଆମାଜନ କମ୍ପାନୀ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

୭୦୦ ଟଙ୍କାରେ ମହାପ୍ରଭୁଙ୍କ ନିର୍ମାଲ୍ୟ ମହାପ୍ରସାଦ ଅନଲାଇନରେ ଉପଲବ୍ଧ କରିଛି ଏହି ଆମାଜନ କମ୍ପାନୀ। ଯାହାର ପ୍ରଡକ୍ଟ ଡିଟେଲରେ ରହିଛି:- ଡିଭାଇନ୍ ଶପ୍ ପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ ମହାପ୍ରସାଦ ଛୋଟ ପ୍ୟାକ୍, ଏଥିରେ ୪ ଟି ଖଣ୍ଡ ଖାଜା ମହାପ୍ରସାଦ, ପବିତ୍ର ତୁଳସୀ, ଶୁଖିଲା ମହାପ୍ରସାଦ ରହିଛି। ଯାହା ପୂଜା ପାଇଁ ପୂର୍ଣ୍ଣ ବ୍ୟବହାର, ରୋଗ କିମ୍ବା ଅସୁସ୍ଥତା ସମୟରେ ଖାଇବା, ଗୃହ ପ୍ରବେଶ କିମ୍ବା ଘର ମନ୍ଦିରରେ ରଖିବା ପାଇଁ ଗ୍ରାହକ ବ୍ୟବହାର କରିପାରିବେ। ତେବେ ଏହାକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।

ଆମାଜନ ଇଣ୍ତିଆର ଏଭଳି ମନ୍‌ମାନି ନେଇ ସିଂହଦ୍ୱାର ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଆମାଜନ ଇଣ୍ତିଆ ବିରୋଧରେ ଏତଲା ଦେଇଛନ୍ତି । ଦୀର୍ଘଦିନ ହେଲା ଆମାଜନ ଇଣ୍ତିଆ ମହାପ୍ରଭୁଙ୍କ ନିର୍ମାଲ୍ୟକୁ ନିଜ ୱେବ୍‌ସାଇଟ ମାଧ୍ୟମରେ ବିକ୍ରି କରି ଆସୁଛି । ଅନଲାଇନରେ ଥିବା ଏହି ନିର୍ମାଲ୍ୟ ମହାପ୍ରସାଦ ନକଲି ବୋଲି ସେ ମଧ୍ୟ ଦାବି କରିଛନ୍ତି । ସେହିପରି କମ୍ପାନୀ କତୃପକ୍ଷ ଏହି ନିର୍ମାଲ୍ୟ ମହାପ୍ରସାଦ କେଉଁଠାରୁ ଆଣୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନଲାଇନ ସଂସ୍ଥାକୁ ନିର୍ମାଲ୍ୟ ବିକ୍ରି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନା ଆଉ କିଏ ଅନୁମତି ଦେଇଛି ସେନେଇ ତଦନ୍ତ ହେଉବୋଲି ଦାବି କରିଛନ୍ତି । ଅନ୍ୟପଟେ ଆମାଜନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି ହେବା କେତେଦୂର ଗ୍ରହଣୀୟ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.