ରାଜସ୍ଥାନରେ ଗତ ୩ଟି ବିଧାନସଭା ନିର୍ବାଚନରେ ମତଦାନ ଟ୍ରେଣ୍ଡିଂ କିପରି ଥିଲା: ପୁରୁଷ ଓ ମହିଳା ଭୋଟରଙ୍କ ମଧ୍ୟରୁ କାହାର ଭୋଟିଂ ହାର ଅଧିକ ଥିଲା
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୫ ତାରିଖରେ ରାଜସ୍ଥାନରେ ବିଧାନସଭା ନିର୍ବାଚନର ମତଦାନ ହେବ । ରାଜ୍ୟରେ ଏଥର ସରକାର ଗଠନ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ତେବେ ଗତ ୩ଟି ବିଧାନସଭା ନିର୍ବାଚନରେ ରାଜ୍ୟର ମତଦାନ କିପରି ଥିଲା, ପୁରୁଷ ଓ ମହିଳା ଭୋଟରଙ୍କ ଭୋଟିଂ ହାର କେତେ ରହିଥିଲା ତା’ ଉପରେ ନଜର ପକାଇବା ।
ଗତ ୨୦୧୮ ବିଧାନସଭା ନିର୍ବାଚନରେ ରାଜ୍ୟର ୭୪.୦୬ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ୨୦୧୩ ନିର୍ବାଚନରେ ୭୫.୦୪ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୦୮ରେ ୬୬.୨୫ ପ୍ରତିଶତ ମତଦାନ ହୋଇଥିଲା । ରାଜ୍ୟ ବିଧାନସଭାର ୨୦୦ଟି ଆସନ ମଧ୍ୟରୁ ଏଥର ୧୯୯ଟି ଆସନରେ ମତଦାନ ଗ୍ରହଣ କରାଯିବ । ଶ୍ରୀଗଙ୍ଗାନଗର ଜିଲ୍ଲାର ଶ୍ରୀକରଣପୁର ଆସନର କଂଗ୍ରେସ ପ୍ରାର୍ଥୀ ଗୁରମୀତ ସିଂହ କୁନନରଙ୍କ ବିୟୋଗ କାରଣରୁ ଉକ୍ତ ଆସନ ପାଇଁ ନିର୍ବାଚନକୁ ସ୍ଥଗିତ କରାଯାଇଛି ।
ତେବେ ଭୋଟ ଦେବା ପାଇଁ ଅନ୍ୟ ରାଜ୍ୟ ପରି ରାଜସ୍ଥାନର ମତଦାତାଙ୍କୁ ନିର୍ବାଚନ ଆୟୋଗ ପ୍ରୋତ୍ସାହିତ କରୁଛନ୍ତି । ରାଜ୍ୟରେ ଶତ ପ୍ରତିଶତ ମତଦାନ କରିବା ଏହା ପଛର ଉଦ୍ଦେଶ୍ୟ । ବୟସ୍କଙ୍କ ପାଇଁ ଭୋଟ ଫ୍ରମ ହୋମ ସୁବିଧା ଆରମ୍ଭ କରାଯାଇଥିବା ବେଳେ ଦିବ୍ୟାଙ୍ଗଙ୍କ ମତଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଚଳିତ ବିଧାନସଭା ନିର୍ବାଚନରେ ମୋଟ ୫.୨୯ କୋଟି ଭୋଟର ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୨.୭୪ କୋଟି ପୁରୁଷ ଓ ୨.୫୩ କୋଟି ମହିଳା ଭୋଟର ରହିଛନ୍ତି । ୬୨୪ ମତଦାତା ତୃତୀୟ ଲିଙ୍ଗୀ ରହିଥିବା ବେଳେ ୧୮-୧୯ ବର୍ଷୀୟ ୨୨.୭୧ ଲକ୍ଷ ଭୋଟର ଏଥର ପ୍ରଥମ ଥର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।
୨୦୧୮ ମସିହା ଡିସେମ୍ବର ୭ରେ ରାଜ୍ୟ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଡିସେମ୍ବର ୧୧ରେ ୧୯୯ଟି ଆସନ ପାଇଁ ଫଳାଫଳ ଘୋଷିତ ହୋଇଥିଲା । ରାମଗଡ଼ ଆସନର ବହୁଜନ ସମାଜବାଦୀ ପାର୍ଟି (ବସପା) ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ପରଲୋକ ଘଟିବା କାରଣରୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଉକ୍ତ ନିର୍ବାଚନରେ କଂଗ୍ରେସ ୯୯ଟି ଆସନରେ ଜିତିଥିବା ବେଳେ ବିଜେପି ୭୩, ବସପା ୬ଟି ଓ ଅନ୍ୟ ଦଳ ୨୦ଟି ଆସନରେ ଜିତିଥିଲେ । ରାଜ୍ୟରେ ପୁରୁଷଙ୍କ ମତଦାନ ହାର ୭୩.୪୯ ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ହାର ୭୪.୬୭ ପ୍ରତିଶତ ରହିଥିଲା । ରାଜ୍ୟରେ କଂଗ୍ରେସକୁ ୩୯.୩୦ ପ୍ରତିଶତ ଲୋକ ଭୋଟ ଦେଇଥିବା ବେଳ ବିଜେପିକୁ ୩୮.୭୭ ପ୍ରତିଶତ ଦେଇଥିଲେ ।
୨୦୧୩ ମସିହା ଡିସେମ୍ବର ୧୩ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଚୁରୁ ଆସନର ବସପା ପ୍ରାର୍ଥୀ ଜଗଦୀଶ ମେଘୱାଲଙ୍କ ବିୟୋଗ କାରଣରୁ ନିର୍ବାଚନକୁ ରଦ୍ଦ କରିଦିଆଯାଇଥିଲା । ରାଜ୍ୟରେ ପୁରୁଷଙ୍କ ମତଦାନ ହାର ୭୫.୪୪ ରହିଥିବା ବେଳେ ମହିଳାଙ୍କ ହାର ୭୪.୬୭ ପ୍ରତିଶତ ରହିଥିଲା । ବିଜେପି ୧୬୩ଟି ଆସନରେ ଜିତିଥିବା ବେଳେ ରାଜ୍ୟର ୪୫.୧୭ ପ୍ରତିଶତ ମତଦାତା ଏହି ଦଳକୁ ଭୋଟ ଦେଇଥିଲେ । ଅନ୍ୟପକ୍ଷରେ କଂଗ୍ରେସ ୨୧ଟି ଆସନରେ ଜିତିଥିବା ବେଳେ ୩୩.୦୭ ପ୍ରତିଶତ ଲୋକଙ୍କ ଭୋଟ ହାସଲ କରିଥିଲା । ସେହିପରି ବସପା ୩ଟି ଆସନରେ ଜିତିବା ସହିତ ୩.୩୭ ପ୍ରତିଶତ ଭୋଟ ପାଇଥିଲା । ୧୦ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।
୨୦୦୮ ମସିହା ଡିସେମ୍ବର ୪ ତାରିଖରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ ୮ ତାରିଖରେ ଫଳାଫଳ ଘୋଷିତ ହୋଇଥିଲା । ଉକ୍ତ ନିର୍ବାଚନରେ ଭାଜପାକୁ କ୍ଷମତାଚ୍ୟୁତ କରି କଂଗ୍ରେସ ୯୬ଟି ସିଟ୍ ଅକ୍ତିଆର କରିଥିଲା । ଅନ୍ୟପକ୍ଷରେ ବିଜେପିକୁ ୭୮ଟି, ବସପାକୁ ୬ଟି ଓ ସ୍ୱାଧୀନ ଦଳର ପ୍ରାର୍ଥୀଙ୍କୁ ୨୦ଟି ଆସନ ମିଳିଥିଲା ।