fbpx

(video)ଉତ୍ତରକାଶୀ ଦୁର୍ଘଟଣା: ଶ୍ରମିକଙ୍କ ଉଦ୍ଧାର ଲାଗି ନିର୍ମାଣ କରାଯାଇଛି ଏପରି ସୁଡଙ୍ଗ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ଲାଗି ଦିନ ରାତି ଯୁଦ୍ଧ ସ୍ତରରେ କାମ କରାଯାଉଛି । ଏହି ଦୁର୍ଘଟଣାକୁ ଆଜି ୧୩ ଦିନ ପୁରିବ । ଏ ପର୍ଯ୍ୟନ୍ତ ୪୮ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରାଯାଇଛି । ସମସ୍ତ ଶ୍ରମିକଙ୍କୁ ବାହାରକୁ କାଢିବା ପାଇଁ ୮୦୦ ଏମଏମର ଲୁହା ପାଇପ୍ ଭିତରକୁ ପ୍ରବେଶ କରାଯାଉଛି । ଏହି ପାଇପ୍ ମାଧ୍ୟମରେ ଷ୍ଟ୍ରେଚର ସାହାଯ୍ୟରେ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବ । ଏବେ ଏହି ଟନେଲ ରାସ୍ତାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରୁ ସୁଡଙ୍ଗ ଭିତରର ଚିତ୍ର ସାମ୍ନାକୁ ଆସୁଛି ।

ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ଅତୁଲ କରୱାଲଙ୍କ କହିବା ଅନୁଯାୟୀ ସୁଡଙ୍ଗ ପୁରା ପ୍ରସ୍ତୁତ ହୋଇଯିବା ପରେ ଜଣେ ଏନଡିଆରଏଫ୍ କର୍ମୀ ସୁଡଙ୍ଗ ମଧ୍ୟକୁ ଯିବେ । ଏହାପରେ ସେ ଶ୍ରମିକଙ୍କୁ ଜଣ ଜଣ କରି ବାହାରକୁ ପଠାଇବେ । ଏହି ସମୟରେ ଦୌଡି ସାହାଯ୍ୟରେ କିମ୍ବା ଷ୍ଟ୍ରେଚର ଉପରେ ଶୁଆଇ ସେମାନଙ୍କୁ ବାହାରକୁ ଅଣାଯିବ । ଏହାପୂର୍ବରୁ ପାଇପ୍‌କୁ ଠିକ୍ ଭାବରେ ସଫା କରାଯିବ । ଫଳରେ ଷ୍ଟ୍ରେଚରକୁ ଭିତରୁ ବାହାର କରିବା ସମୟରେ କୌଣସି ପ୍ରକାର ବାଧା ଉପୁଜିବ ନାହିଁ ।

ଏହା ପୂର୍ବରୁ ଗତ ଗୁରୁବାର ଦିନ ପାଇପ୍ ସାମ୍ନାରେ ଲୁହାର ଏକ ମୋଟା ପାଇପ୍ ଆସିଯିବା ଦ୍ୱାରା ଏହାର ମୁହଁ ମୋଡି ହୋଇଯାଇଥିଲା । ଫଳରେ ଏହା ଆଗକୁ ଯାଇ ପାରି ନ ଥିଲା । ଉଦ୍ଧାର କାର୍ଯ୍ୟରେ ତଦାରଖ କରୁଥିବା ପିଏମଓର ପୂର୍ବ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି ପାଇପ୍ ବଙ୍କା ହୋଇଯାଇଥିବାରୁ ଏହାକୁ ଏବେ କଟା ଯାଉଛି । ଏହି କାମକୁ ଏବେ ଆଉ ୧ ଘଣ୍ଟା ସମୟ ଲାଗିବ । ପାଇପ୍ କାଟିବା ପରେ ଡ୍ରିଲିଂର ସାଧାରଣ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଯିବ । ଅନୁଧ୍ୟାନରୁ ଜଣାପଡିଛି ଆଗାମୀ ୫ ମିଟର ପର୍ଯ୍ୟନ୍ତ ଆଉ କୌଣସି ପ୍ରକାର ବାଧା ନାହିଁ । ଏହାର ଅର୍ଥ ଆମର ଡ୍ରିଲିଂ କେବଳ ଠିକ୍‌ଠାକ୍ ହେଲେ ସମସ୍ତ ଶ୍ରମିକ ଠିକ୍ ଭାବରେ ଉଦ୍ଧାର ପାଇଯିବେ । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଅପରେସନ ଶେଷ ହେବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.