fbpx

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ହେବ ଶୁଭାରମ୍ଭ: ସୂଚନା ଦେଲେ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ ବର୍ତ୍ତମାନ ସମୟରେ ଯାତ୍ରୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିଛି। ଆରାମଦାୟକ ଭ୍ରମଣ ତଥା ଅଧିକାଂଶ ରୁଟରେ ଚାଲୁଥିବା କାରଣରୁ ଯାତ୍ରୀମାନେ ଏହାକୁ ବେଶ ପସନ୍ଦ କରୁଛନ୍ତି । ଭାରତୀୟ ରେଳବାଇ ବନ୍ଦେଭାରତ ଏକ୍ସପ୍ରେସର ଯାତ୍ରାକୁ ଅଧିକ ସୁବିଧାଜନକ କରିବାକୁ ଯାଉଛି । ଆଗାମୀ କିଛି ଦିନ ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ ହେବାକୁ ଯାଉଛି । ତେବେ ଏହାର ସମୟସୀମା ମଧ୍ୟ ପ୍ରାୟ ସ୍ଥିର ହୋଇସାରିଛି ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି । ବୈଷ୍ଣବ କହିଛନ୍ତି ଯେ ବନ୍ଦେ ଭାରତ ସ୍ଲିପର ଟ୍ରେନ ମାର୍ଚ୍ଚ ୨୦୨୪ ସୁଦ୍ଧା ଚାଲିବା ଆରମ୍ଭ କରିବ। ବର୍ତ୍ତମାନ ଚାଲୁଥିବା ସମସ୍ତ ବନ୍ଦେ ଭାରତ ଏକ୍ସପ୍ରେସ କେବଳ ଚେୟାର କାର । ଅର୍ଥାତ୍ ଏଥିରେ ବସି ବସି ଯାତ୍ରା କରିପାରିବେ । ବର୍ତ୍ତମାନ ରେଳବାଇ ବନ୍ଦେ ଭାରତର ଯାତ୍ରାକୁ ଅଧିକ ସୁବିଧାଜନକ କରିବାକୁ ଯୋଜନା କରିଛି। ସେମାନଙ୍କୁ ରାଜଧାନୀ ଏକ୍ସପ୍ରେସ ପରି ଚଳାଇବାକୁ ଯୋଜନା ରହିଛି । ଏହା ଅନ୍ୟ ସ୍ଲିପର ଟ୍ରେନ ପରି ରାତ୍ରି ସମୟରେ ଯାତ୍ରା କରିବ ଯେଉଁଥିରେ ଯାତ୍ରୀମାନେ ଶୋଇକରି ଯାତ୍ରା କରିପାରିବେ ।

ରେଳ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଥମ ସ୍ଲିପର ବନ୍ଦେ ଭାରତ ଆଇସିଏଫ ଚେନ୍ନାଇ ଦ୍ୱାରା ପ୍ରସ୍ତୁତ କରିବ। ତେବେ ଏହାର କୋଚ୍ ରାଜଧାନୀ ଏବଂ ଅନ୍ୟ ପ୍ରିମିୟମ୍ ଟ୍ରେନ୍ ଠାରୁ ସାମାନ୍ୟ ଭିନ୍ନ ହେବ । ଏଥିରେ ପ୍ରତ୍ୟେକ କୋଚରେ ଚାରିଟି ବଦଳରେ ତିନୋଟି ଶୌଚାଳୟ ରହିବ । ଏହା ସହିତ ଏକ ମିନି ପ୍ୟାଣ୍ଟ୍ରି ମଧ୍ୟ ପ୍ରସ୍ତୁତ କରାଯିବ ।

ଏହି ବନ୍ଦେ ଭାରତ ଟ୍ରେନରେ ସମୁଦାୟ ୮୨୩ ବର୍ଥ ରହିବ । ଏଥିରେ ଯାତ୍ରୀମାନଙ୍କ ପାଇଁ ୮୨୩ ବର୍ଥ ଏବଂ କର୍ମଚାରୀଙ୍କ ପାଇଁ ୩୪ ବର୍ଥ ରହିବ । ଏହାର ପ୍ରୋଟୋଟାଇପ୍ ଡିସେମ୍ବର ୨୦୨୩ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.