fbpx

ଭାରତ ଜିତିବାକୁ ସ୍ୱପ୍ନ ଦେଖିଥିଲେ କିନ୍ତୁ ଶେଷରେ ନିଜ ଘରୁ ହିଁ ପରାଜିତ ହେଲେ !

ହାଇଦ୍ରାବାଦ:ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ସହିତ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ତେଲେଙ୍ଗାନାରେ କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ କରିବା ଦିଗରେ ଅଗ୍ରସର ହୋଇଚାଲିଛି । ୨୦୧୩ରେ ତେଲେଙ୍ଗାନା ଗଠନ ହୋଇଥିଲା । ଏଠାରେ ଏଥର ଗତ ୨ଟି ନିର୍ବାଚନକୁ ମିଶାଇ ୩ୟ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି । ୨ଥର ମୁଖ୍ୟମନ୍ତ୍ରୀ ହୋଇଥିବା କେସିଆର୍ ଚଳିତ ନିର୍ବାଚନରେ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଥିଲେ ମଧ୍ୟ ତାଙ୍କ ଲକ୍ଷ୍ୟ ପୁରଣ ହୋଇପାରିବ ନାହିଁ ଏହା ସ୍ପଷ୍ଟ ହୋଇଗଲାଣି । ତେବେ କେସିଆରଙ୍କ ପରାଜୟ ପଛର ମୁଖ୍ୟ କାରଣ ରାଷ୍ଟ୍ରୀୟ ରାଜନୀତି ପ୍ରତି ତାଙ୍କର ଉତ୍କଣ୍ଠା ।

୨୦୧୮ ବିଧାନସଭା ନିର୍ବାଚନରେ କେସିଆର୍ ପ୍ରଚଣ୍ଡ ବିଜୟ ହାସଲ କରିବା ପରେ ଲୋକସଭା ନିର୍ବାଚନ ଲାଗି ତୃତୀୟ ମୋର୍ଚ୍ଚା ଗଠନ ନେଇ ଯୋଜନା କରିଥିଲେ । ୨୦୨୪ ନିର୍ବାଚନ ପୂର୍ବରୁ ଏହି ଯୋଜନା ଲାଗି ସେ ବିରୋଧୀ ମେଣ୍ଟ ଇଣ୍ଡିଆରେ ସାମିଲ ହୋଇ ନ ଥିଲେ । ଅକ୍ଟୋବର ୨୦୨୨ରେ ସେ ନିଜ ଦଳ ଟିଆରଏସ୍‌(ତେଲେଙ୍ଗାନା ରାଷ୍ଟ୍ର ସମିତି) କୁ ରାଷ୍ଟ୍ରୀୟ ସ୍ତରରେ ଆଣିବା ଲାଗି ଏହାର ନାମ ପରିବର୍ତ୍ତନ କରି ବିଆରସ୍ ( ଭାରତ ରାଷ୍ଟ୍ର ସମିତି) କରିଦେଇଥିଲେ ।

କେବଳ ଏତିକି ନୁହେଁ ଯେତେବେଳେ ରାଜ୍ୟ ମଧ୍ୟରେ କଂଗ୍ରେସ ଓ ବିଜେପି ଭ୍ରଷ୍ଟାଚାର ପ୍ରସଙ୍ଗରେ କେସିଆର୍‌ଙ୍କ ବିରୋଧରେ ନାରାବାଜି ଦେଉଥିଲେ ସେତେବେଳେ ସେ ନିଜ ରାଜ୍ୟ ବାହାରେ ମହାରାଷ୍ଟ୍ରରେ ବିରାଟ କାର୍ ଶୋଭାଯାତ୍ରାରେ ନିଜ ଦଳର ପ୍ରସାର ରେ ବ୍ୟସ୍ତ ଥିଲେ । ଏହି ର‌୍ୟାଲିରେ ତାଙ୍କ ସହ ପୁରା ତେଲେଙ୍ଗାନା କ୍ୟାବିନେଟ୍ ବି ଯାଉଥିଲା । କେବଳ ଏତିକି ନୁହେଁ ସେ ଅଲଗା ଅଲଗା ରାଜ୍ୟକୁ ଯାଇ ବିରୋଧୀ ନେତାଙ୍‌କୁ ବି ସାକ୍ଷାତ କରୁଥିଲେ ।

ରାଜନୈତିକ ବିଶେଷଜ୍ଞ କହନ୍ତି ସେ ନିଜକୁ ଜଣେ ରାଷ୍ଟ୍ରୀୟ ନେତା ଭାବରେ ଉପସ୍ଥାପିତ କରିବାକୁ ଚାହୁଁଥିଲେ । କାରଣ ସେ ଭାବିଥିଲେ ତାଙ୍କୁ ତେଲେଙ୍ଗାନାରେ କେହି ହରାଇ ପାରିବେ ନାହିଁ । ତାଙ୍କ ଲକ୍ଷ୍ୟ ଥିଲା ପୁଅ ଟି ରାମାରାଓଙ୍କୁ ତେଲେଙ୍ଗାନାର ଦାୟିତ୍ୱ ଦେବେ । ରାମାରାଓ ବି ତାଙ୍କ ସରକାରରେ ମନ୍ତ୍ରୀ ଥିଲେ । କିନ୍ତୁ ତାଙ୍କର ସମସ୍ତ ଗଣନା ଭୁଲ୍ ସାବ୍ୟସ୍ତ ହେବାକୁ ଯାଉଛି । ଗୋଟିଏ ପଟେ ସେ ନିଜ ଘରେ କ୍ଷମତା ହରାଇବାକୁ ବସିଥିବା ବେଳେ ଅନ୍ୟପଟେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ନିଜ ଆଡକୁ ଆଣିବା ଚେଷ୍ଟା ବି ସଫଳ ହେବାର ଦେଖାଯାଉନାହିଁ ।

Get real time updates directly on you device, subscribe now.