fbpx

ବାତ୍ୟା ମିିଚୌଙ୍ଗ ଲାଗି ଜାରି ହେଲା ୧୪୪ ଧାରା, ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ଆଶ୍ୱାସନା

ନୂଆଦିଲ୍ଲୀ: ବାତ୍ୟା ମିଚୌଙ୍ଗର ପ୍ରଭାବ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଲାଣି । ତାମିଲନାଡୁ ରାଜଧାନୀ ଚେନ୍ନାଇ ଓ ଏହାର ଆଖପାଖ ଜିଲ୍ଲାରେ ସୋମବାର ଠାରୁ ଭୀଷଣ ବର୍ଷା ଲାଗି ରହିଛି । ଲଗାତର ବର୍ଷା କାରଣରୁ ସହରର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଗଲାଣି । ନଗର ନିଗମ କର୍ମଚାରୀ ବିଭିନ୍ନ ଅଞ୍ଚଳରୁ ଜଳ ନିଷ୍କାସନ କରିବାକୁ ଚେଷ୍ଟା କରୁଛନ୍ତି । ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ କରି ଆଜି ସାର୍ବଜନୀନ ଛୁଟୀ ଘୋଷଣା କରିଦିଆଯାଇଛି । ଚେନ୍ନାଇର ଇଷ୍ଟ କୋଷ୍ଟ ରୋଡ୍‌ରେ ଏକ ନିର୍ମାଣଧୀନ ପାଚେରୀ ଭାଙ୍ଗି ପଡି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଆଇଏମ୍‌ଡିର ସୂଚନା ଅନୁଯାୟୀ ବାତ୍ୟା ମିଚୌଙ୍ଗ ଡିସେମ୍ବର ୫ରେ ଆନ୍ଧ୍ରପ୍ରଦେଶ ସମୁଦ୍ର କୂଳରେ ଲ୍ୟାଣ୍ଡଫଲ୍ କରିବ । ମଙ୍ଗଳବାର ଦ୍ୱିପ୍ରହର ସମୟରେ ମିଚୌଙ୍ଗ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ମଛଲିପାଟନମ୍ ନିକଟସ୍ଥ ସମୁଦ୍ରକୂଳରେ ଲ୍ୟାଣ୍ଡଫଲ କରିବ । ଏହି ବାତ୍ୟା କାରଣରୁ ବହୁ ଟ୍ରେନକୁ ରଦ୍ଦ କରିଦିଆଯାଇଛି । ଏହା ସହିତ ବିମାନ ଉଡାଣ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆନ୍ଧ୍ରପ୍ରଦେଶରେ ସମସ୍ତ ସ୍କୁଲ ଆଜି ବନ୍ଦ ରହିଛି ।

ଦେଶର ୪ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା, ପୁଡୁଚେରୀରେ ଏହି ବାତ୍ୟାର ସର୍ବାଧିକ ପ୍ରଭାବ ରହିବ । ପୁଡୁଚେରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଆଇପିସି ଧାରା ୧୪୪ ଲାଗୁ କରିଦିଆଯାଇଛି । ଉପକୂଳ ଅଞ୍ଚଳରେ ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧ ଲଗାଯାଇଛି । ଏହି ପ୍ରତିବନ୍ଧ ୩ ଡିସେମ୍ବର ସନ୍ଧ୍ୟାରୁ ଲାଗୁ ହୋଇଥିବା ବେଳେ ଏହା ୫ ଡିସେମ୍ବର ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ରହିବ । ପୁଡୁଚେରୀ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ଏଥିନେଇ ସତର୍କତା ଜାରି କରାଯାଇଛି ।

ଅନ୍ୟପକ୍ଷରେ ଓଡିଶାର ୫ ଜିଲ୍ଲାରେ ମିଚୌଙ୍ଗକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଚୌଙ୍ଗଙ୍କୁ ସାମ୍ନା କରିବାକୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ଓ ସବୁ ପ୍ରକାର ସହାୟତା କେନ୍ଦ୍ର ଯୋଗାଇ ଦେବ ବୋଲି ଆଶ୍ୱାସନା ଦେଇଛନ୍ତି । ଏହା ସହିତ ବିଜେପିର ସମସ୍ତ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶାସନକୁ ସହଯୋଗ କରିବାକୁ କହିଛନ୍ତି ।

Get real time updates directly on you device, subscribe now.