fbpx

ବଲିଉଡ୍ ଅଭିନେତା ଜୁନିୟର ମେହମୁଦଙ୍କ ପରଲୋକ: ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଭେଟେରାନ ବଲିଉଡ ଅଭିନେତା ନଇମ ସୟିଦ ଆଉ ନାହାନ୍ତି । ଦର୍ଶକଙ୍କ ମଧ୍ୟରେ ‘ଜୁନିୟର ମେହମୁଦ’ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଅଭିନେତା ଜଣଙ୍କ ଦୀର୍ଘଦିନ ଧରି କର୍କଟ ରୋଗ ସହ ଲଢ଼େଇ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ମୁମ୍ବାଇର ଖର ସ୍ଥିତ ତାଙ୍କ ବାସଭବନରେ ଜୁନିୟର ମେହମୁଦ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ଜୁନିୟର ମେହମୁଦଙ୍କ ବିୟୋଗରେ ବଲିଉଡ ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଗତକାଲି ରାତି ୨.୧୫ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ପାକସ୍ଥଳୀ କର୍କଟ ରୋଗ କାରଣରୁ ସେ ଦୀର୍ଘଦିନ ଧରି ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ୧୯୬୦-୭୦ ଦଶକରେ ଜଣେ ଶିଶୁ କଳାକାର ଭାବେ ଖ୍ୟାତି ଅର୍ଜନ କରିଥିଲେ ।

ସେ ଦୀର୍ଘ ୪୦ ବର୍ଷ ଧରି ଅଭିନୟ ଜଗତ ସହ ଜଡ଼ିତ ରହିଥିଲେ । ସେ ୨୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ୧୯୬୬ରେ ମୁକ୍ତିଲାଭ କରିଥିବା ‘ମୋହବତ ଜିନ୍ଦଗୀ ହୈ’ ଫିଲ୍ମ ଜରିଆରେ ସେ ନିଜର ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ‘ନୌନିହାଲ’, ‘କାରାଭନ’, ‘ହାଥୀ ମେରେ ସାଥୀ’, ‘ମେରା ନାମ ଜୋକର’, ‘ସୁହାଗ ରାତ’, ‘ବ୍ରହ୍ମଚାରୀ’, ‘କଟି ପତଙ୍ଗ’, ‘ହରେ ରାମ ହରେ କ୍ରିଷ୍ଣ’, ‘ଗୀତ ଗାତା ଚଲ’, ‘ଇମାନଦାର’, ‘ବାପ ନମ୍ବରୀ ବେଟା ଦସ ନମ୍ବରୀ, ‘ଆଜ କା ଅର୍ଜୁନ, ‘ଗୁରୁଦେବ’ ‘ଛୋଟେ ସରକାର ଆଣ୍ଡ ଜୁଦାଇ’ ପରି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ଏଥିସହିତ ସେ କିଛି ମରାଠୀ ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ପ୍ରଯୋଜନା ମଧ୍ୟ କରିଥିଲେ ।

Get real time updates directly on you device, subscribe now.